ଭୁବନେଶ୍ୱର: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ ପାଇଁ ଏକ ବଡ଼ ପଦକ୍ଷେପରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ-ନେରଗୁଣ୍ଡି ୪ର୍ଥ ଲାଇନ (୧୫.୯୯ କିମି) ଓ ନିର୍ଗୁଣ୍ଡିରେ ଏକ ରେଳ ଫ୍ଲାଇଓଭର ପାଇଁ ୮୦୨.୯ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ଏହି ପ୍ରକଳ୍ପ ହାଓ୍ଵରା-ଚେନ୍ନାଇ ମୁଖ୍ୟ ଲାଇନ ଓ କଟକ-ପାରାଦୀପ ରୁଟରେ ଟ୍ରେନ ଚଳାଚଳର କ୍ଷମତା ଓ ଦକ୍ଷତା ବୃଦ୍ଧି କରିବ।
କଟକ-ନିର୍ଗୁଣ୍ଡି ହାଓ୍ଵରା-ଚେନ୍ନାଇ ଉଚ୍ଚ-ଘନତ୍ୱ ନେଟୱାର୍କ (HDN)ର ଅଂଶ। ପାରାଦୀପ ବନ୍ଦରରୁ ଆସୁଥିବା ଟ୍ରାଫିକ କଟକରେ ମୁଖ୍ୟ ଲାଇନ ସହ ମିଶୁଥିବାରୁ ଏହି ରୁଟରେ ଜାମ ଲାଗି ରହୁଛି। ତାଳଚେର ଅଭିମୁଖୀ ଟ୍ରେନ ପାଇଁ କଟକରେ ସିଧାସଳଖ ଜଙ୍କସନ ନଥିବାରୁ ବିଳମ୍ବ ହେଉଛି। ନୂଆ ଚତୁର୍ଥ ଲାଇନ ଓ ଫ୍ଲାଇଓଭର ପାରାଦୀପ ଟ୍ରାଫିକକୁ ମୁଖ୍ୟ ଲାଇନରୁ ଅଲଗା କରି କଟକ ଓ ଧେନକାନାଳ ମଧ୍ୟରେ ଜାମ ହ୍ରାସ କରିବ। ଏହା ଦ୍ୱାରା ଯାତ୍ରୀ ଓ ମେଲ/ଏକ୍ସପ୍ରେସ ଟ୍ରେନର ସମୟପାଳନ ଉନ୍ନତ ହେବ।
ନିର୍ଗୁଣ୍ଡିରେ କ୍ରସିଂ ହେତୁ ଏକ୍ସପ୍ରେସ ଟ୍ରେନ ଅଟକି ରହୁଥିବା ସମସ୍ୟା ହଟିବ। ଏହି ପ୍ରକଳ୍ପ ଯାତ୍ରୀ ଓ ମାଲ ଟ୍ରେନକୁ ଅଲଗା କରି ଅଧିକ ଟ୍ରେନ ଚଳାଚଳରେ ସହାୟକ ହେବ। ମହାନଦୀ ଓ ବିରୂପା ନଦୀ ଉପରେ ଦୁଇଟି ନୂଆ ବ୍ରିଜ ନିର୍ମାଣ ହେବ। ଲାଇନ ଓ ଫ୍ଲାଇଓଭରରେ କବଚ ସୁରକ୍ଷା ବ୍ୟବସ୍ଥା ଓ ୨x୨୫ କେଭି ବିଦ୍ୟୁତ୍ ସିଷ୍ଟମ ସହ ୧୩୦ କିମି/ଘଣ୍ଟା ସର୍ବାଧିକ ଗତି ସୁବିଧା ରହିବ।
ପୂର୍ବ ତଟ ରେଳବାଇର ଏହି ପ୍ରକଳ୍ପ ଭାରତୀୟ ରେଳବାଇର ଅତ୍ୟନ୍ତ ବ୍ୟସ୍ତ କରିଡରରେ ଆଧୁନିକୀକରଣ ଓ ଦକ୍ଷତା ବୃଦ୍ଧି ପାଇଁ ଏକ ମହତ୍ୱପୂର୍ଣ ପଦକ୍ଷେପ।