ଆଜି ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ବିଜୁଳି ଘଡ଼ଘଡ଼ି ସହ ହୋଇପାରେ ବର୍ଷା

୨୭ରେ ବଙ୍ଗୋପସାଗରରେ ଲଘୁଚାପ ।

ଭୁବନେଶ୍ବର: ବଦଳିଲା ପାଗର ମିଜାଜ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜି ପାଗ ମେଘୁଆ ରହିଛି । କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିବା ଜଣାପଡ଼ିଛି ।

ଆଜି ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

କେରଳ ଛୁଇଁବ ମୌସୁମୀ- ପାଣିପାଗ ବିଭାଗର ଆକଳନ ଅନୁସାରେ, ଲଘୁଚାପ ଯୋଗୁଁ ଆରବ ସାଗରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବାକୁ ପାଗ ଅନୁକୂଳ ହେଉଛି । ଫଳରେ ଆସନ୍ତା ୨ରୁ ୩ ଦିନ ଅର୍ଥାତ୍ 27 ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ କୁହାଯାଇଛି ।

ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଓ ତତ୍‌ସଂଲଗ୍ନ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଅନ୍ୟପଟେ, ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର ବ‌ଙ୍ଗୋପସାଗରରେ ୨୭ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି ।

ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏନେଇ 13 ଜିଲ୍ଲାକୁ ଆଲର୍ଟ ମଧ୍ୟ ଜାରି କରାଯାଇଛି ।