fbpx

Rajasthan Election: ଆରମ୍ଭ ହେଲା ରାଜସ୍ଥାନ ବିଧାନସଭା ନିର୍ବାଚନ, ସମସ୍ତଙ୍କୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ କଲେ ଅପିଲ

ରାଜସ୍ଥାନ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ରାଜ୍ୟର ୧୯୯ ଟି ବିଧାନସଭା ଆସନରୁ ମୋଟ ୧୮୬୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର ହେବ। ତେବେ ଆଜି ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଜାରି ରହିବ। ରାଜସ୍ଥାନର ୨୦୦ ବିଧାନସଭା ଆସନ ମଧ୍ୟରୁ ୧୯୯ ରେ ମତଦାନ ଚାଲିଛି। ବିଜେପି ଏବଂ କଂଗ୍ରେସ ନେତାମାନେ ନିଜର ବିଜୟ ଦାବି କରୁଛନ୍ତି। ରାଜସ୍ଥାନର ଜୟପୁର, ଯୋଧପୁର, ଝାଲାୱାର ଏବଂ ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଛି।

ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନବାସୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ। ମୁଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି ଯେ ଅଧିକରୁ ଅଧିକ ସଂଖ୍ୟକ ଭୋଟ ଦେଇ ଏକ ନୂତନ ରେକର୍ଡ ସୃଷ୍ଟି କରନ୍ତୁ। ଏହି ଅବସରରେ ଯେଉଁ ଭୋଟରମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି ସେ ସମସ୍ତ ଯୁବ ବନ୍ଧୁମାନଙ୍କୁ ଶୁଭେଚ୍ଛା ।”

ରାଜ୍ୟରେ ୨୦୦ ବିଧାନସଭା ଆସନ ଅଛି କିନ୍ତୁ ୧୯୯ ଟି ଆସନରେ ଭୋଟ୍ ଗ୍ରହଣ କରାଯାଉଛି। ବିଧାୟକ ଗୁରୁମିତ ସିଂ କୁନାରଙ୍କ ମୃତ୍ୟୁ କାରଣରୁ କରଣପୁର ଆସନରୁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏଥର ମଧ୍ୟ କୁନାର ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରଚାର ଗୁରୁବାର ଦିନ ବନ୍ଦ କରାଯାଇଥିଲା।

ତେବେ ଚଳିତ ନିର୍ବାଚନରେ ରାଜ୍ୟର ୫.୨୫ କୋଟିରୁ ଅଧିକ ଭୋଟର ଭୋଟ୍ ଦେବେ। ଅଧିକାରୀଙ୍କ କହିବାନୁସାରେ, ଭୋଟିଂ ପରିଚାଳନା ପାଇଁ ତିନି ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଏହି ୧୯୯ ଟି ଆସନ ପାଇଁ ୧୮୬୨ ଜଣ ପ୍ରାର୍ଥୀ ଅଛନ୍ତି, ଯେଉଁଠାରେ ଭୋଟରଙ୍କ ସଂଖ୍ୟା ୫,୨୫,୩୮,୧୦୫ ରହିଛି। ଏଥିମଧ୍ୟରେ ୧୮-୩୦ ବର୍ଷ ବୟସର ୧,୭୦,୯୯,୩୩୪ ଯୁବ ଭୋଟର ଅନ୍ତର୍ଭୁକ୍ତ, ଯେଉଁଥିରେ ୧୮-୧୯ ବର୍ଷ ବୟସରେ ୨୨,୬୧,୦୦୮ ନୂତନ ଭୋଟର ରହିଛନ୍ତି ।

ତେବେ ଏହି ମତଦାନ ପାଇଁ ପ୍ରସ୍ତୁତି ମଧ୍ୟ ସେହିଭଳି ରହିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରବୀଣ ଗୁପ୍ତା କହିଛନ୍ତି ଯେ ରାଜ୍ୟର ୩୬,୧୦୧ ସ୍ଥାନରେ ମୋଟ ୫୧,୫୦୭ ମତଦାନ କେନ୍ଦ୍ର କରାଯାଇଛି। ଏଥିମଧ୍ୟରୁ ସହରାଞ୍ଚଳରେ ମୋଟ ୧୦,୫୦୧ ମତଦାନ କେନ୍ଦ୍ର ଏବଂ ଗ୍ରାମାଞ୍ଚଳରେ ୪୧,୦୦୬ ଟି ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି।

ସେ କହିଛନ୍ତି ଯେ ମୋଟ ୨୬,୩୯୩ ମତଦାନ କେନ୍ଦ୍ରରେ ଲାଇଭ ୱେବକାଷ୍ଟିଂ କରାଯିବ। ଏହି ମତଦାନ କେନ୍ଦ୍ରଗୁଡ଼ିକୁ ଜିଲ୍ଲା ସ୍ତରୀୟ କଣ୍ଟ୍ରୋଲ ରୁମରୁ ତଦାରଖ କରାଯିବ। ଭୋଟ୍ ପାଇଁ ରିଜର୍ଭ ସମେତ ୬୫,୨୭୭ ବାଲାଟ୍ ୟୁନିଟ୍, ୬୨,୩୭୨ କଣ୍ଟ୍ରୋଲ୍ ୟୁନିଟ୍ ଏବଂ ୬୭,୫୮୦ ଭିଭିପିଏଟ୍ ମେସିନ୍ ବ୍ୟବହାର କରାଯିବ ।

Get real time updates directly on you device, subscribe now.