fbpx

ବିଜେପି ପାଇଁ ଚିନ୍ତାର କାରଣ ପାଲଟିଲା ରାଜସ୍ଥାନ, ଗଡକରୀଙ୍କୁ ମିଳିପାରେ ବସୁନ୍ଧରାଙ୍କୁ ମନେଇବାର ଦାୟିତ୍ଵ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ଏବଂ ପରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ମିଳିଥିବା ବିଜୟରେ ବେଶ୍ ଉତ୍ସାହିତ ଶାସକ ଭାରତୀୟ ଜନତା ପାର୍ଟି। କିନ୍ତୁ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ରାଜସ୍ଥାନ। ଆୟତନ ଦୃଷ୍ଟିରୁ ଦେଶର ସବୁଠୁ ବଡ ରାଜସ୍ଥାନରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ହେଲେ ଦଳରେ ମୁଣ୍ଡ ଟେକିଛି ଆଭ୍ୟନ୍ତରୀଣ କନ୍ଦଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସଂପ୍ରତି ଦଳ ପ୍ରତି ବହୁତ ଖପ୍ପା। ଏହାର ଝଲକ ଗତକାଲି ଆୟୋଜିତ ରାଜ୍ୟ କାର‌୍ୟ୍ୟକାରିଣୀରେ ଦେଖିବାକୁ ମିଳିଛି। ତେଣୁ  ରାଜ୍ୟରେ ଦଳ ଏମିତି ଜଣେ ନେତାଙ୍କୁ ପ୍ରଭାରୀ ଦାୟିତ୍ଵ ଦେବାକୁ ଚିନ୍ତା କରୁଛି ଯିଏ ଦଳ ଭିତରେ କୁହୁଳୁଥିବା ଅସନ୍ତୋଷକୁ ଦୂର କରିବା ସହ ନିର୍ବାଚନରେ ପ୍ରଭାବ ପକାଇ ପାରୁଥିବ। କୁହାଯାଉଛି ଏଥିପାଇଁ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ରାଜସ୍ଥାନର ପ୍ରଭାରୀ ଦାୟିତ୍ଵ ଦିଆଯାଇପାରେ।

ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ସମର୍ଥକ ଏବଂ ବିରୋଧୀ ଗୋଷ୍ଠୀରେ ବିଭାଜନ ପାର୍ଟି କେନ୍ଦ୍ର ନେତୃତ୍ଵଙ୍କ ଲଗାତାର ଉଦ୍ୟମ ପରେ ବି ଦଳ ଏକଜୁଟ୍ ହୋଇ ପାରୁନାହିଁ। କେନ୍ଦ୍ର ନେତୃତ୍ଵ ଏକ ହୋଇ ରାଜ୍ୟରେ ବିଧାନସଭା ନିର୍ବାଚନ ଲଢିବାକୁ ଚାହୁଁଥିବା ବେଳେ ଗୋଟିଏ ଗୋଷ୍ଠୀ ବସୁନ୍ଧରା ରାଜେଙ୍କ ନେତୃତ୍ଵରେ ନିର୍ବାଚନ ଲଢିବାକୁ ଚାପ ପକାଉଛନ୍ତି। କେନ୍ଦ୍ରୀୟ ନେତୃତ୍ଵ ଗତ ମାସରେ ଜୟପୁରରେ ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ କରି ନେତାଙ୍କୁ ଏକଜୁଟ୍ ରଖିବାକୁ ଉଦ୍ୟମ କରିଥିଲା। ଏହା ସତ୍ତ୍ଵେ ବି ଦଳରେ ଗୋଷ୍ଠୀକନ୍ଦଳ ଥମିବାର ନାଁ ଧରୁନାହିଁ।

ନିକଟରେ ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ନିର୍ଦ୍ଦଳୀୟ ପ୍ରାର୍ଥୀ ସୁଭାଷ ଚନ୍ଦ୍ରାଙ୍କ ପରାଜୟରେ ବି ପାର୍ଟିରେ ମତଭେଦ ସାମ୍ନାକୁ ଆସିଛି। ପାର୍ଟିର ଜଣେ ବିଧାୟକ ଶୋଭାରାନୀ କୁଶଓ୍ଵା କ୍ରସ ଭୋଟିଂ କରିଥିଲେ। ଶୋଭା ରାଣୀ ବସୁନ୍ଧରାଙ୍କ ଜିଲ୍ଲା ଧୌଲପୁରର ବିଧାୟକ। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ନେତୃତ୍ଵ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତଙ୍କୁ ରାଜ୍ୟ ସଭାପତି କରିବାକୁ ଉଦ୍ୟମ କରିଥିଲେ, ମାତ୍ର ବସୁନ୍ଧରାଙ୍କ ସମର୍ଥକଙ୍କ ଚାପରେ ପାର୍ଟି ଶେଖାଓ୍ଵତଙ୍କୁ ଆଗକୁ ଆଣି ପାରିନଥିଲା। ପରେ ମଦନଲାଲ ସୈନିଙ୍କୁ ରାଜ୍ୟ ସଭାପତି ଦାୟିତ୍ଵ ଦିଆଯାଇଥିଲା।

ସୂତ୍ର ଅନୁଯାୟୀ, ବିଜେପି ହାଇକମାଣ୍ଡ ରାଜ୍ୟରେ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ପାଇଁ କୌଣସି ବଡ ନେତାଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ଵ ଦେଇପାରେ। ଏଥିରେ ଦୁଇ ଜଣ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ଏବଂ ପୂର୍ବତନ ସଭାପତି ନୀତିନ ଗଡକରୀଙ୍କ ନାମ ସାମିଲ୍। ଗଡକରୀ ଏବଂ ବସୁନ୍ଧରାଙ୍କ ମଧ୍ୟରେ ବ୍ୟକ୍ତିଗତ ସଂପର୍କ ବହୁତ ଭଲ ରହିଛି। ପୂର୍ବେ ଯେତେବେଳେ ରାଜେଙ୍କ କେନ୍ଦ୍ରୀୟ ନେତୃତ୍ଵଙ୍କ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା, ତେବେ ନୀତିନ ଗଡକରୀ ମୋର୍ଚ୍ଚା ସମ୍ଭାଳି ବିବାଦ ସମାପ୍ତ କରିଥିଲେ।

 

Get real time updates directly on you device, subscribe now.