fbpx

ଆସନ୍ତାକାଲି ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ରଜନୀକାନ୍ତ ସିଂ!

ଓଡିଶା ଭାସ୍କର; ଆସନ୍ତାକାଲି ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ବରିଷ୍ଠ ବିଜେଡି ନେତା ରଜନୀକାନ୍ତ ସିଂ । ଏନେଇ କାଲି ସେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ଭେଟି ବିଧିବଦ୍ଧ ଭାବେ ନିଜର ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରଜନୀକାନ୍ତ ଇସ୍ତଫା ଦେଉଥିବା କୁହାଯାଉଛି।

ସୂଚନା ଥାଉକି, ୨୦୧୯ ସରକାର ଗଠନର ୨ ଜଣ ବାଚସ୍ପତିଙ୍କ ପରେ ଏବେ ତୃତୀୟ ଥରରେ ଶ୍ରୀମତୀ ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ଦାଇତ୍ୱରେ ରହିଛନ୍ତି । ଅର୍ଥାତ ସ୍ୱର୍ଗତ ସୂର୍ୟ୍ୟନାରାୟଣ ପାତ୍ର ଓ ବିକ୍ରମ କେଶରୀ ଆରୁଖଙ୍କ ପରେ ଏବେ ପ୍ରମିଳା ମଲ୍ଲିକ ୩ ନମ୍ବର ଭାବେ ବାଚସ୍ପତି ରହିଛନ୍ତି । କିନ୍ତୁ ୨୦୧୯ ସରକାର ଗଠନ ପରଠାରୁ ଏବେ ପର୍ୟ୍ୟନ୍ତ ବି ରଜନୀକାନ୍ତ ସିଂ ଉପବାଚସ୍ପତି ଦାଇତ୍ୱରେ ରହିଛନ୍ତି । ତେବେ ରଜନୀକାନ୍ତ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଅନ୍ୟ କୌଣସି ନେତାଙ୍କୁ ଉପବାଚସ୍ପତି କରାଯିବ କି ନାହିଁ ତାହା ଅସ୍ପଷ୍ଟ ରହିଛି। କାରଣ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୪ ମାସ ଥିବାରୁ ଉପବାଚସ୍ପତି ପଦବୀରେ ଅନ୍ୟ କୌଣସି ନେତାଙ୍କୁ ବସାଇବାକୁ ବିଜେଡି ଚାହୁଁ ନଥିବା ଚର୍ଚ୍ଚା ହେଉଛି ।

ତେବେ ଆସନ୍ତାକାଲି ଅର୍ଥାତ ବୁଧବାର ରଜନୀକାନ୍ତ ସିଂଙ୍କୁ ଉପବାଚସ୍ପତି ପଦରୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଥିବା କୁହାଯାଉଛି । ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଭୁବନେଶ୍ୱରରେ ବାଚସ୍ପତିଙ୍କୁ ସାକ୍ଷାତ କରି ସେ ବିଧିବଦ୍ଧ ଭାବେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.