fbpx
BSKY SKY
BSKY SKY

ରାଜ୍ୟସଭା ନିର୍ବାଚାନ ପାଇଁ ବାଜିଲା ବିଗୁଲ୍ : ଓଡ଼ିଶା ସମେତ ୧୫ ରାଜ୍ୟର ୫୭ଟି ଆସନ ପାଇଁ ହେବ ମତଦାନ, ଜୁନ୍‌ ୧୦ରେ ଭୋଟ୍‌

BSKY

ନୂଆଦିଲ୍ଲୀ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ) ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ଦେଶର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟସଭାରେ ଖାଲି ପଡ଼ିବାକୁ ଯାଉଥିବା ମୋଟ୍‌ ୫୭ଟି ଆସନ ପାଇଁ ଆସନ୍ତା ଜୁନ୍‌ ୧୦ ତାରିଖରେ ମତଦାନ କରାଯିବ । ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୭ଟି ଆସନ ଖାଲି ହେବାକୁ ଯାଉଛି । ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ଖାଲି ପଡ଼ୁଥିବାରୁ ଏନେଇ ରାଜନୈତିକ ତତ୍ପରତା ପ୍ରକାଶ ପାଇଛି । ଏନ୍‌.ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୧ ତାରିଖରେ ଶେଷ ହେବ । ଏଥିପାଇଁ ଖାଲି ପଡ଼ୁଥିବା ଏହି ୩ ଆସନ ପାଇଁ ଭୋଟିଂ କରାଯିବ ।ଯେଉଁ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ୨୧/୬/୨୦୨୨ରୁ ୧/୮/୨୦୨୨ ମଧ୍ୟରେ ଶେଷ ହେବାକୁ ଯାଉଛି । ସେହିସବୁ ଆସନ ପାଇଁ ଜୁନ୍‌ ୧୦ରେ ଭୋଟ୍‌ ଗ୍ରହଣ କରାଯିବ ।

ଏହି ନିର୍ବାଚନ ପାଇଁ ଗେଜେଟ୍‌ ନୋଟିଫିକେସନ ୨୪ ତାରିଖରେ ପ୍ରକାଶ ପାଇବ । ସେହିରି ନାମାଙ୍କନ ଦାଖଲର ଶେଷ ତାରିଖ ଚଳିତ ମାସ ୩୧ ତାରିଖ ରଖାଯାଇଥିବା ବେଳେ ପ୍ରାର୍ଥୀପତ୍ରର ଯାଞ୍ଚ ଜୁନ୍‌ ୧ରେ କରାଯିବ । ସେହିପରି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଜୁନ୍‌ ୩ ରଖାଯାଇଥିବାବେଳେ ୧୦ ତାରିଖରେ ଭୋଟ୍‌ଗ୍ରହଣ କରାଯିବ । ଏହିସବୁ ଆସନ ପାଇଁ ୧୦ ତାରିଖ ସକାଳ ୯ଟାରୁ ଭୋଟ୍‌ଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ଶେଷ କରାଯିବ । ସେହିଦିନ ସନ୍ଧ୍ୟା ୫ଟାରୁ ଗଣତି ଆରମ୍ଭ କରାଯିବ । ଜୁନ୍‌ ୧୩ ତାରିଖ ସୁଦ୍ଧା ସମସ୍ତ ପ୍ରକାରର ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି କମିଶନ ସୂଚନା ଦେଇଛନ୍ତି ।

କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଉତ୍ତର ପ୍ରଦେଶର ସର୍ବାଧିକ ୧୧ଟି ଆସନ ଖାଲି ହେବାକୁ ଯାଉଥିବାବେଳେ ତାମିଲନାଡୁ ଓ ମହାରାଷ୍ଟ୍ରରେ ୬ଟି ଲେଖାଏଁ ଆସନ ଖାଲି ହେଉଛି । ସେହିପରି ଆନ୍ଧ୍ରପ୍ରଦେଶର ୪ଟି, ତେଲେଙ୍ଗାନାର ୨ଟି, ଛତିଶଗଡ଼ର ୨ଟି, ମଧ୍ୟପ୍ରଦେଶର ୩ଟି, କର୍ଣ୍ଣାଟକର ୩ଟି, ଓଡ଼ିଶାର ୩ଟି, ପଞ୍ଜାବର ୨ଟି, ରାଜସ୍ଥାନର ୪ଟି, ଉତ୍ତରାଖଣ୍ଡର ୧ଟି, ବିହାରର ୫ଟି, ଝାଡ଼ଖଣ୍ଡର ୨ଟି ଏବଂ ହରିଆଣାର ୨ଟି ଆସନ ଖାଲି ହେବାକୁ ଯାଉଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାରେ ମୋଟ୍‌ ଆସନ ସଂଖ୍ୟା ୨୪୫ । ଗତମାସରେ ବିଜେପି ୧୯୯୦ ମସିହା ପରେ ବିଜେପି ପ୍ରଥମ ରାଜନୈତିକ ଦଳ ଭାବେ ରାଜ୍ୟସଭାରେ ନିଜ ସଦସ୍ୟଙ୍କ ସଂଖ୍ୟା ୧୦୦ ପାର୍‌ କରାଇଥିଲା । ଏବେ ସେମାନଙ୍କ ମଧ୍ୟରୁ କିଛି ସଦସ୍ୟ ଅବସର ନେବାକୁ ଯାଉଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାରୁ ୩ଟି ଆସନ ଖାଲି ହେଉଥିବାବେଳେ ଏନେଇ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ୩ଟି ଆସନ ପାଇଁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।

Get real time updates directly on you device, subscribe now.