ନୂଆଦିଲ୍ଳୀ: ଭାରତର ବିଗବୁଲ୍ ରାକେଶ ଝୁନଝୁନୱାଲାଙ୍କ କମ୍ପାନୀ ଅକାଶା ଏୟାରଲାଇନ୍ସ ଖୁବ ଶୀଘ୍ର ଆକାଶରେ ଉଡିବାକୁ ଯାଉଛି । ମଙ୍ଗଳବାର ଝୁନଝୁନୱାଲା ବିମାନ କମ୍ପାନୀ ବୋଇଙ୍ଗ ନିକଟରୁ ୭୨ଟି ବିମାନ କିଣିଥିବା ଜଣାପଡିଛି । ଏହି ବିମାନ ଗୁଡିକର ମୂଲ୍ୟ ୯ ବିଲିୟନ ଡଲାର ବୋଲି ଜଣାପଡିଛି । ଏହା ମଧ୍ୟରେ ୭୩୭-୮ ଓ ୭୩୭-୮-୨୦୦ ମଡେଲର ବିମାନ ମଧ୍ୟ ରହିଛି ।
୨୦୨୧ ଦୁବାଇ ଏୟାର ଶୋରେ ବିମାନ ଉଡାଇବା ନେଇ ଘୋଷଣା କରିଥିଲେ ରାକେଶ ଝୁନଝୁନୱାଲା । ଅକାଶା ଏୟାର ସିଇଓ ବିନୟ ଦୁବେ କହିଛନ୍ତି, ବୋଇଙ୍ଗ ସହିତ ଆମର ପାର୍ଟନରଶିପକୁ ନେଇ ଆମେ ଅତ୍ୟନ୍ତ ଖୁସି । ୭୩୭ ମ୍ୟାକ୍ସ ବିମାନଟି ଆମକୁ ଆଗକୁ ବଢାଇବା ସହିତ କମ ଖର୍ଚ୍ଚରେ ବିମାନ ଯାତ୍ରାର ଅନୁଭବ ପ୍ରଦାନରେ ସଫଳ ହେବ । ଆମର ଏହି ଛୋଟ କମ୍ପାନୀ ସହିତ ଯୋଡି ହୋଇଥିବା କାରଣରୁ ଆମେ ବୋଇଙ୍ଗକୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ । ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ବିମାନ ଚଳାଚଳରେ ଭାରତ ବିଶ୍ୱରେ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିବାକୁ ଯାଉଛି ।