ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉପାସରେ ପ୍ରଧାନମନ୍ତ୍ରୀ, କେବଳ ପିଉଛନ୍ତି ପଇଡ଼ ପାଣି

ଓଡ଼ିଶା ଭାସ୍କର: ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି। ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ ନୀତିକାନ୍ତି ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ମଧ୍ୟରେ ଗର୍ଭ ଗୃହସ୍ଥିତ ଆସନରେ ପ୍ରଭୁ ରାମଲଲାଙ୍କ ମୂର୍ତ୍ତିକୁ ମଧ୍ୟ ରଖାଯାଇସାରିଛି। ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁଙ୍କ ଏହି ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ସେ ରାମମନ୍ଦିର‌ରେ ପ୍ରଭୁ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରିବେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଏବେ ବିଶେଷ ରୀତିନୀତି ରହିଛନ୍ତି।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଏବେ ୧୧ ଦିନିଆ ‘ଉପବାସ’ (ବିଶେଷ ରୀତିନୀତି) କରି କେବଳ ପଇଡ଼ ପାଣି ପିଉଛନ୍ତି। କେବଳ ଏତିକି ନୁହେଁ, ୧୧ ଦିନିଆ ରୀତିନୀତି ପାଇଁ ମୋଦି ନିଜ ଶଯ୍ୟା ମଧ୍ୟ ଛାଡିଛନ୍ତି। ସେ ଚଟାଣରେ ଏକ କମ୍ବଳ ପକାଇ ଶୋଉଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା ଦିନ ସମ୍ପୂର୍ଣ୍ଣ ଉପବାସ ପାଳନ କରିବେ। ଏହି ସମୟରେ ସେ ନିର୍ଦ୍ଦିଷ୍ଟ ମନ୍ତ୍ର ଜପ କରିବେ। ତେବେ ଆସନ୍ତା ଜାନୁଆରୀ ୨୨ ରାତି ୧୨ ଟା ୩୦ ମିନିଟରେ ପ୍ରଭୁ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରୀତିନୀତି ପାଳନ କରିବେ। ଏହା ସହ ସମଗ୍ର ବିଶ୍ୱରୁ ସାଧୁ, ସନ୍ଥ ଏବଂ ମାନ୍ୟଗଣ ମାନେ ଏହି ସମାରୋହରେ ଯୋଗଦେବେ। ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତିରେ ଏହି ଐତିହାସିକ ମୁହୂର୍ତ୍ତ କାର୍ୟ୍ୟ ସମ୍ପନ୍ନ ହେବ।

ଏଠାରେ କହି ରଖୁଛୁ ଯେ, ଗତ ଜାନୁଆରୀ ୧୨ ରେ ସେ ଏହି ରୀତିନୀତି ଆରମ୍ଭ କରିବାକୁ ଘୋଷଣା କରିଥିଲେ ଏବଂ ପ୍ରାଣ ପ୍ରତିଷ୍ଠାର ଐତିହାସିକ ତଥା “ଶୁଭ” ଉତ୍ସବରେ ଉପସ୍ଥିତ ରହିବା ପାଇଁ ସେ ଭାଗ୍ୟବାନ ବୋଲି କହିଥିଲେ। ଏହି ଅବସରରେ ସମସ୍ତ ଭାରତୀୟଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଈଶ୍ୱର ତାଙ୍କୁ ଏକ ଉପକରଣ ଭାବରେ ବାଛିଛନ୍ତି ଏବଂ ଏହାକୁ ଦୃଷ୍ଟିରେ ରଖି ସେ ୧୧ ଦିନିଆ ସ୍ୱତନ୍ତ୍ର ଧାର୍ମିକ ରୀତିନୀତି ପାଳନ କରୁଛନ୍ତି ବୋଲି ମଧ୍ୟ କହିଥିଲେ।