ନୂଆଦିଲ୍ଲୀ: ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେଓ ସାଏଙ୍କ ନାମ ବିଜେପି ବିଧାୟକ ଦଳ ବୈଠକରେ ଘୋଷଣା କରାଯିବା ପରେ ପୁଣି ଆସିଛି ଏକ ବଡ଼ ଅପଡେଟ୍ । ରାଜ୍ୟର ପରବର୍ତ୍ତୀ ବାଚସ୍ପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ଏଥିସହିତ ରାଜ୍ୟ କ୍ୟାବିନେଟରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ନିଯୁକ୍ତି ପାଇବେ । ବିଜେପି ପକ୍ଷରୁ ଏ ବାବଦରେ ଘୋଷଣା କରାଯାଇଛି ।
ସୂଚନା ମୁତାବକ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜ୍ୟର ନୂଆ ବାଚସ୍ପତି ହେବେ । ଏଥିସହିତ ଅରୁଣ ସାଓ ଏବଂ ବିଜୟ ଶର୍ମା ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପାଇବେ । ବିଜେପିର ବିଧାୟକ ଦଳ ବୈଠକରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଅର୍ଜୁନ ମୁଣ୍ଡା, ଦୁଷ୍ୟନ୍ତ କୁମାର ଗୌତମ, ରାଜ୍ୟ ପ୍ରଭାରୀ ଓମ ମାଥୁରଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି ।
ଗତ ୩ ତାରିଖରେ ରାଜ୍ୟ ବିଧାନସଭାର ନିର୍ବାଚନ ଫଳାଫଳ ଘୋଷଣା ସରିଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି ରହିଥିଲା । ସିଏମ୍ ରେସରେ ଅନେକ ଦାବିଦାର ରହିଥିବାରୁ ଏନେଇ ବିଳମ୍ବ ହୋଇଥିଲା । ଏଥିସହିତ ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବାରୁ ଦଳର ହାଇକମାଣ୍ଡ ଦେଖିଚାହିଁ ଗୋଟି ଚାଳନା କରୁଛନ୍ତି । କିଛି ନେତାଙ୍କୁ ବଡ଼ ପଦରେ ବସାଇବା ଫଳରେ ଆଉ କିଛି ନେତା ଅସନ୍ତୁଷ୍ଟ ହେବା ଆଶଙ୍କା ରହିଥିଲା । ତେଣୁ ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ପାଇଁ ହାଇକମାଣ୍ଡ ଅନ୍ୟମାନଙ୍କ ପାଇଁ ବିକଳ୍ପ ସୃଷ୍ଟି କରିଛନ୍ତି । ସେଥିପାଇଁ ରାଜ୍ୟର ଜଣେ ବଡ଼ ନେତାଙ୍କୁ ବାଚସ୍ପତି ପଦ ଓ ଆଉ ଦୁଇଜଣଙ୍କୁ ଡେପୁଟି ସିଏମ୍ ପଦରେ ବସାଇ ସନ୍ତୁଷ୍ଟ କରାଯାଇଛି ।