fbpx

ରାଜ୍ୟ ବିଧାନସଭାର ପୂର୍ବତନ ବିଧାୟକ ଆଖି ବୁଜିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ରାଜନୈତିକ ଦଳମାନେ ଆଗାମୀ ନିର୍ବାଚନରେ କ୍ଷମତା ଦଖଲ ଲକ୍ଷ୍ୟରେ ନିଜ ନିଜ ସଂଗଠନକୁ ଅଧିକ ମଜବୁତ ପାଇଁ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ବିଜେଡି ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ନେଇ ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ବିଜେପି ଓ କଂଗ୍ରେସ ଏଥର ସରକାର ବଦଳାଇବା ଲକ୍ଷ୍ୟରେ ରହିଛନ୍ତି ।

ତେବେ ଏହା ମଧ୍ୟରେ ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର । ରାଜ୍ୟ ବିଧାନସଭାର ଜଣେ ପୂର୍ବତନ ବିଧାୟକଙ୍କ ପରଲୋକ ଘଟିଛି । ଅନୁଗୁଳର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ପରଲୋକ ଘଟିଛି । ଗତ କିଛିବର୍ଷ ଧରି ଶ୍ରୀ ଜେନା ଖରାପ ସ୍ୱାସ୍ଥ୍ୟ କାରଣରୁ ମେଡିକାଲରେ ଚିକିତ୍ସାଧୀନ ରହିଥିବା ବେଳେ ସେ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ମେଡିକାଲକୁ ତାଙ୍କର ଶତାଧିକ ସମର୍ଥକଙ୍କର ସୁଅ ଛୁଟିଥିଲା ।

୧୯୪୦ ମସିହା ନଭେମ୍ବର ମାସ ୨ ତାରିଖରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ଗ୍ରାମରେ ଶ୍ରୀ ଜେନା ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ନାଲକୋ ଟ୍ରେଡ ୟୁନିୟନରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ୧୯୯୫ ମସିହାରେ ସେ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ମୃତ୍ୟୁଖବର ପାଇ ରାଜ୍ୟ ରାଜନୀତି ସହ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୁଇଦିନ ପୂର୍ବରୁ ଅନୁଗୁଳ ଜିଲ୍ଲାର ଆଉ ଜଣେ ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନ ପରଲୋକ ଗମନ କରିଥିଲେ ।

Get real time updates directly on you device, subscribe now.