fbpx

ଅଲିମ୍ପିକ୍ସରେ ରଚିଥିଲେ ଇତିହାସ: ପରାଜୟ ପରେ ଜାତିଆଣ ଆକ୍ଷେପ;ନିନ୍ଦା କଲେ ଅଧିନାୟିକା

ନୂଆଦିଲ୍ଳୀ: ପ୍ରଥମ ମହିଳା ଖେଳାଳି ଭାବରେ ଅଲିମ୍ପିକ୍ସରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ଭାରତୀୟ ମହିଳା ଷ୍ଟ୍ରାଇକର ବନ୍ଦନା କଟାରିଆଙ୍କ ପରିବାରକୁ ଜାତିଆଣ ଆକ୍ଷେପକୁ ସମାଲୋଚନା କରିଛନ୍ତି ଅଧିନାୟିକା ରାଣୀ ରାମପାଲ । ସାଉଥ ଆଫ୍ରିକା ବିରୋଧରେ ହ୍ୟାଟ୍ରିକ୍ ସହିତ ଇତିହାସ ରଚିଥିଲେ ଉତ୍ତରାଖଣ୍ଡର ବନ୍ଦନା କଟାରିୟା । ତେବେ ସେମି ଫାଇନାଲରେ ଆର୍ଜେଣ୍ଟିନା ବିପକ୍ଷରେ ପରାଜୟ ପରେ ବନ୍ଦନାଙ୍କ ପରିବାର ଉଦ୍ଦେଶ୍ୟରେ ଜାତିଆଣ ମନ୍ତବ୍ୟର ପ୍ରୟୋଗ କରାଯାଇଥିଲା । ହରିଦ୍ୱାରରେ କଟାରିଆଙ୍କ ପରିବାର ଉଦ୍ଦେଶ୍ୟରେ ପଡୋଶୀ ମାନେ ଏହିଭଳି ମନ୍ତବ୍ୟ ପ୍ରଦାନ କରିଥିଲେ ।

ଶନିବାର କଟାରିଆଙ୍କ ସପକ୍ଷରେ ମତ ରଖିଛନ୍ତି ଅଧିନାୟିକା ରାଣୀ ରାମପାଲ । ଭାରତ ପାଇଁ ଖେଳିବା ବା ଦେଶର ପ୍ରତିନିଧିତ୍ୱ କରିବା ପାଇଁ ଢେର ପରିଶ୍ରମ କରିଥାନ୍ତି । ଜାତି ଓ ଧର୍ମ ନାମରେ କୌଣସି ଖେଳାଳିଙ୍କ ପ୍ରତି ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ । ଦଳ ଏସବୁ ଠାରୁ ଉପରେ ରହିଥାଏ ତେଣୁ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଏକ ଭର୍ଚୁଆଲ ପ୍ରେସ ମିଟରେ କହିଛନ୍ତି ରାଣୀ ରାମପାଲ୍ । ଉଲ୍ଲେଖଯୋଗ୍ୟ ଯେ, ଭାରତ ପ୍ରଥମ ଥର ପାଇଁ ସେମି ଫାଇନାଲରେ ପହଞ୍ଚି ଇତିହାସ ରଚିଥିବା ବେଳେ ବ୍ରୋଞ୍ଜ ପଦକ ମୁକାବିଲାରେ ବ୍ରିଟେନ ନିକଟରୁ ୪-୩ରେ ପରାଜିତ ହୋଇଥିଲା । ବ୍ରୋଞ୍ଜ ପଦକ ମୁକାବିଲାରେ ଗୋଟିଏ ଗୋଲ କରିଥିବା କଟାରିଆ ଭାରତ ପାଇଁ ଚଳିତ ଅଲିମ୍ପିକ୍ସରେ ୪ଟି ଗୋଲ ସ୍କୋର କରିଥିଲେ ।

Get real time updates directly on you device, subscribe now.