fbpx

ବଢ଼ିଲା ଅଟୋରିକ୍ସା ଭଡା, ଜାଣନ୍ତୁ କେତେ ଟଙ୍କାରେ ପହଞ୍ଚିଲା

ଭୁବନେଶ୍ୱର, ୨୦ ।୪ (ଓଡିଶା ଭାସ୍କର) : କୋଭିଡ୍ ସମୟରେ ରାଜ୍ୟରେ ପରିବହନ ଉପରେ ଗୁରୁତର ପ୍ରଭାବ ପଡିଛି । ପୂର୍ବରୁ ପେଟ୍ରୋଲ୍ ଓ ଡିଜେଲ୍ ଦରବୃଦ୍ଧି ପାଇଁ ଅଟୋ ରିକ୍ସା ମହାସଂଘ ଭଡା ବୃଦ୍ଧି କରିଥିବା ବେଳେ ଏବେ ପୁଣି ଥରେ କରୋନା ଗାଇଡ୍ ଲାଇନ୍ ପାଇଁ ଭଡା ବୃଦ୍ଧି କରିଛନ୍ତି । ସରକାର ପୁଣିଥରେ ସାପ୍ତାହିକ ସଟଡାଉନ୍ ଘୋଷଣା କରିବା ସହ କଟକଣାକୁ କଡାକଡି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସରକାର କହିଛନ୍ତି ଯେ, ଅଟୋ ରିକ୍ସାରେ ଦୁଇ ଜଣରୁ ଅଧିକ ଯାଇ ପାରିବେ ନାହିଁ । ଏଭଳି ପରିସ୍ଥିତି ଅଟୋ ରିକ୍ସା ଚାଳକଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି । ତେଣୁ ଅଟୋ ରିକ୍ସା ମହାସଂଘ ପକ୍ଷରୁ ଦରବୃଦ୍ଧି କରିବା ନେଇ କୁହାଯାଇଛି । ସଂଘର ନିଷ୍ପତି ଅନୁସାରେ, ସର୍ବନିମ୍ନ ୩ କିଲୋମିଟର୍ ପାଇଁ ଯାତ୍ରୀଙ୍କୁ ୨୦ ଟଙ୍କା ଏବଂ ୧ କିଲୋମିଟର୍ ପାଇଁ ୧୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି ।

ଏତଦ୍ ବ୍ୟତୀତ ରିଜର୍ଭେସନ୍ ପାଇଁ ୩ କିଲୋମିଟର୍ କୁ ଯାତ୍ରୀ ପିଛା ୫୦ ଟଙ୍କା ଏବଂ ତା ଠାରୁ ଅଧିକ ହେଲେ ୧ କିଲୋମିଟର୍ ପାଇଁ ୧୫ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଛି । ତେବେ ଅଟୋରିକ୍ସା ମହାସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ପଟ୍ଟନାୟକ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି । ଏଥି ସହିତ ସେମାନେ ଅଭିଯୋଗ କରିଛନ୍ତି ଯେ, କ୍ରମାଗତ ଭାବେ ପେଟ୍ରୋଲ-ଡିଜେଲ୍ ଦର ବଢିବାରେ ଲାଗିଛି । ଏହା ସତ୍ୱେ ବି ପୂର୍ବ ଦରରେ ଦୀର୍ଘ ଦିନ ହେବ ଯାତ୍ରୀ ଯିବା ଆସିବା କରୁଛନ୍ତି । ଏଥିରେ ଅଟୋ ରିକ୍ସା ଚାଳକଙ୍କ ଆୟ ଉପରେ ଗୁରୁତର ପ୍ରଭାବ ପଡିଛି । ତେଣୁ ଦୀର୍ଘ ସମୟ ହେବ ଅଟୋ ଭଡା ବୃଦ୍ଧି କରିବାକୁ ଦାବି ହୋଇ ଆସୁଛି । ହେଲେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏନେଇ ଚୁପ୍ ହୋଇ ବସିଛି । ତେଣୁ ବର୍ତ୍ତମାନର ସ୍ଥିତିକୁ ଆଖି ଆଗରେ ରଖି ଦରବୃଦ୍ଧି କରାଯାଇଛି ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ପଟ୍ଟନାୟକ ବୋଲି କହିଛନ୍ତି ।

Get real time updates directly on you device, subscribe now.