fbpx

(Video) ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ପହଣ୍ଡି ବିଜେ କରୁଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ

ପୁରୀ(ଓଡ଼ିଶା ଭାସ୍କର): ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ନବଦିନାତ୍ମକ ଯାତ୍ରାରେ ଶ୍ରୀଜୀଉ । ସୁନ୍ଦର ପୁଷ୍ପମାଳାର ଭବ୍ୟ ତୋରଣ ସଦୃଶ ସାଜସଜ୍ଜିତ ଶ୍ରୀମନ୍ଦିରର ସିଂହଦ୍ୱାର । ସଜ ହୋଇଥିଲେ ବି ମନଉଣା କରୁଛି ଶଅୀମନ୍ଦିର, କାରଣ ମହାପ୍ରଭୁ ଆଜି ଛାଡ଼ିଚାଲିଯାଉଛନ୍ତି । ରଥ ପ୍ରତିଷ୍ଠା ପରେ ଚାଲିଛି ପହଣ୍ଡି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଚାଲିଛି ପହଣ୍ଡି ବିଜେ । ପ୍ରଥମେ ରଥାରୂଢ଼ ହୋଇଛନ୍ତି ଶ୍ରୀସୁଦର୍ଶନ । ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କ ପହଣ୍ଡି ସରିଛି । ଗୋଟି ପହଣ୍ଡିରେ ଚାଲିଛି ବିଜେ ନୀତି । ୩ ଘଣ୍ଟା ଆଗୁଆ ରହିଛି ନୀତିକାନ୍ତି ।

ଏବେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁରୀ ଆସୁଥିବା ଭକ୍ତଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନଙ୍କ ଠାରେ କରୋନା ଲକ୍ଷଣ ରହିଛି ସେମାନେ ପୁରୀ ନ ଆସିବାକୁ ପରାମର୍ଶ ଦିଆଯାଇଛି । ରଥ ଟଣା ପାଇଁ କାର୍ଯ୍ୟ ନିର୍ଘଣ୍ଟ ମଧ୍ୟ ସ୍ଥିର କରାଯାଇଛି । ୯ଟାରେ ରଥ ପ୍ରତିଷ୍ଠା ପାଇଁ ସମୟ ନିର୍ଘଣ୍ଟ କରାଯାଇଥିବାବେଳେ ୯ଟା ୩୦ରେ ପହଣ୍ଡି ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଅପରାହ୍ଣ ୨ଟା ୩୦ରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବା ପାଇଁ ସ୍ଥିର ହୋଇଥିବାବେଳେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ମାଳତୀ ପାଟପୁର ବସ୍‌ଷ୍ଟାଣ୍ଡରେ ରହି ଯିବାସିବା କରିବେ । ପୁରୀକୁ ଆସୁଥିବା ପାସେଞ୍ଜର ବସ୍‌ଗୁଡ଼ିକ ମାଳତୀ ପାଟପୁର ଆର୍‌ଓବି ଦେଇ ତାଳବଣିଆରେ ପାର୍କିଂ କରିବା ସହ ଯିବାସିବା କରିବେ । ସେହିରି ଭୁବନେଶ୍ୱରରୁ ଆସୁଥିବା ୪ ଚକିଆ ଯାନଗୁଡ଼ିକ ମାଳତୀପାଟପୁର ଆର୍‌ଓବି ଦେଇ ଆଇଟିଆ, ଇଣ୍ଡୋର ଷ୍ଟାଡିୟମ୍‌ ଓ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପାର୍କିଂ କରିବେ । ପାସ୍‌ ଥିବା ଯାନବାହାନଗୁଡ଼ିକ ମାଳତୀପାଟପୁର, ମଙ୍ଗଳାଘାଟ ବାଇପାସ୍‌, ଷ୍ଟର୍ଲିଂ ରୋଡ୍‌ ଓ ପରେ ଲୋକନାଥ ରୋଡ୍‌ ଦେଇ ଛପନ ଛକ ଓ ଲୋକନାଥଙ୍କ ନିକଟରେ ପାର୍କିଂ କରିବାକୁ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.