ମୁମ୍ବାଇ: ରତି ଅଗ୍ନିହୋତ୍ରୀ, ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ଥିଲେ । ସାଉଥ ଫିଲ୍ମ ଜଗତରୁ ଆରମ୍ଭ କରି ବଲିଉଡରେ ମଧ୍ୟ ଦେଖାଇଥିଲେ ନିଜ ଅଭିନୟର ଜଲବା । ଦିବାନା କରିଥିଲେ କୋଟି କୋଟି ଦର୍ଶକଙ୍କୁ । ପ୍ର୍ରଥମ ହିନ୍ଦୀ ଫିଲ୍ମର ନିଖୁଣ ଓ ବାସ୍ତବ ଅଭିନୟରେ ଦର୍ଶକଙ୍କୁ ଏମିତି ମତୁଆଲା କରିଦେଲେ କି, ଫିଲ୍ମର କ୍ଲାଇମେକ୍ସକୁ ଅନେକ ପ୍ରେମିକ ଓ ପ୍ରେମିକା ଖୁସି ଖୁସି ଆପଣେଇ ନେଇଥିଲେ । ସାମାଜିକ କଟକଣା ପାଇଁ ମିଳନ ଅସମ୍ଭବ ଜାଣି ଜୀବନ ନେଇଥିଲେ । ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଥିବା ଏହି ସଫଳ ଅଭିନେତ୍ରୀ କିନ୍ତୁ ପରବର୍ତ୍ତୀ ସମୟରେ ହଜିଯାଇଥିଲେ କେଉଁ ଅନ୍ଧାରୀ ଦୁନିଆରେ କି କେହି ତାଙ୍କ ପତ୍ତା ପାଇନଥିଲେ । ୩୦ ବର୍ଷ ପରେ ପଦାକୁ ଆସି ସେ ଯାହା କହିଲେ, ସମସ୍ତଙ୍କ ଛାତି ଥରିଉଠିଥିଲା । ସତରେ କଣ ଜଣେ ଆଗଧାଡିର ସଫଳ ଅଭିନେତ୍ରୀଙ୍କ ଜୀବନରେ ଏତେ ସବୁ ଅଘଟଣ ଘଟିପାରେ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଜାଣନ୍ତି, କଣ ହୋଇଥିଲା ରତିଙ୍କ ସହ?
୧୯୬୦ରେ ରତିଙ୍କ ଜନ୍ମ ହୋଇଥିଲା ଉତ୍ତର ପ୍ରଦେଶର ବରେଲିରେ, ଏକ ପଞ୍ଜାବୀ ପରିବାରରେ । ପିତାଙ୍କର ତାମିଲନାଡୁ ଟ୍ରାନ୍ସଫର ହେବା ପରେ ରତିଙ୍କ ପରିବାର ସେଠାକୁ ଚାଲିଗଲେ । କଲେଜର ଷ୍ଟେଜ ସୋରେ ତାଙ୍କ ଅଭିନୟ ଚାତୁରୀ ଦେଖି ସେଠାକୁ ଆସିଥିବା ତାମିଲ ନିର୍ଦ୍ଦେଶକ ଭାରତୀ ରାଜାଙ୍କ ନଜରକୁ ଆସିଥିଲେ । ମାତ୍ର ୧୯ ବର୍ଷରେ ସେ ସାଉଥ ଫିଲ୍ମ ଜଗତରେ ପାଦ ଥାପିଥିଲେ । ସେ ଅନେକ ବଡ ବଡ ବ୍ୟାନର ତଳେ ମଧ୍ୟ ଅଭିନୟ କରିଥିଲେ । ପରେ ୧୯୮୦ରେ ସେ ପ୍ରଥମ ହିନ୍ଦୀ ଫିଲ୍ମ କମଲ ହାସନଙ୍କ ସହ କରିଥିଲେ, ଏକ ଦୁଜେ କେ ଲିଏ । ଏହି ଫିଲ୍ମ ତାଙ୍କୁ ରାତାରାତି ସଫଳତାର ଶୀର୍ଷକୁ ନେଇଥିଲା । ଅନେକ ସୁପର ଡୁପର ଫିଲ୍ମ ହିନ୍ଦୀ ଫିଲ୍ମ ଜଗତକୁ ରତି ଭେଟି ଦେଇଥିଲେ ବହୁ ଆଗଧାଡିର ଅଭିନେତାଙ୍କ ସହ ।
କିନ୍ତୁ ତାଙ୍କ ଉଦୀୟମାନ ଜୀବନରେ ଗ୍ରହଣ ଲାଗିଥିଲା ବିବାହ ପରେ । ସେ ୧୯୮୫ରେ ବ୍ୟବସାୟୀ ଅନିଲ ଭିରବାନୀଙ୍କୁ ବିବାହ କରିଥିଲେ । ତା ପରେ କେହି ତାଙ୍କୁ ଆଉ ଫିଲ୍ମରେ ଦେଖିବାକୁ ପାଇନଥିଲେ । ୨୦୧୫ରେ ସେ ପୁଣି ସାମ୍ନାକୁ ଆସିଥିଲେ । ହେଲେ କୌଣସି ଫିଲ୍ମରେ ନୁହେଁ, ଥାନାରେ । ଦେହରେ ମାଡର ଦାଗ ନେଇ ଥାନାରେ ସ୍ୱାମୀଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ । ବିବାହ ପରେ ସ୍ୱାମୀ ତାଙ୍କୁ ଘରର ଚାରି କାନ୍ଥ ଭିତରେ ବନ୍ଦୀ କରି ରଖିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଆଣିଥିଲେ ଅଭିଯୋଗ ।
ପୋଲିସ ଆଗରେ ବଖାଣିଥିଲେ ୩୦ ବର୍ଷର ନିର୍ଯାତନାର କାହାଣୀ । ସ୍ୱାମୀ ମାଡ, ଗାଳି ଦେବା ସହ ବାହାରକୁ ବାହାରିବାକୁ ଦେଉନଥିଲେ । ପୁଅ ତନୁଜ ପାଇଁ ଚୁପଚାପ ସବୁ ସହିଯାଉଥିଲେ ବୋଲି କହିଥିଲେ । ପୁଅ ଉପରେ କୌଣସି କୁପ୍ରଭାବ ପଡିବା ଆଶଙ୍କାରେ ସବୁ ନିରବରେ ସହିବାକୁ ନିଷ୍ପତ୍ତି ନେଇଥିଲେ ରତି । ଯେତେବେଳେ ପୁଅ ବଡ ହୋଇଥିଲା ଓ ବୁଝିବା ସୁଝିବା ଅବସ୍ଥାକୁ ଆସିଥିଲା, ସେ ଧୀରେ ଧୀରେ ସବୁ କଥା କହିଥିଲେ ପୁଅକୁ । ଆଉ ପୁଅ କହିଥିଲେ ନିଜ ଅଧିକାର ପାଇଁ ସ୍ୱର ଉଠାଇବା ପାଇଁ । ଏହା ପରେ ରତି ବାହାରକୁ ବାହାରିଥିଲେ ଓ ଆଇନର ଦ୍ୱାରସ୍ଥ ହୋଇଥିଲେ ୨୦୧୫ରେ । ଚଳିତ ବର୍ଷ ସ୍ୱାମୀଙ୍କଠାରୁ ଅଲଗା ହେବାରେ ସମର୍ଥ ହୋଇଥିଲେ ।
ଏବେ ଏହି ଅଭିନେତ୍ରୀ ପୁଣି ଚଳଚ୍ଚିତ୍ର ଜଗତକୁ ଫେରିଛନ୍ତି ଓ କ୍ୟାରେକ୍ଟର ରୋଲ କରୁଛନ୍ତି । ସେ ପୁଅ ତନୁଜ ଭିରବାନୀଙ୍କ ସହ ଅଲଗା ରହୁଛନ୍ତି । ଉଭୟ ମା ଓ ପୁଅ ଅଭିନୟ ଜଗତରେ କାମ କରୁଛନ୍ତି ।