fbpx
BSKY SKY
BSKY SKY

ଆଜି ପ୍ରଥମ ଦିନିକିଆ ଖେଳିବେ କି ନାହିଁ ଜାଡେଜା, ଉତ୍ତର ରଖିଲେ ଅଧିନାୟକ ଶିଖର ଧାଓ୍ଵନ

BSKY

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ତେବେ ଏହା ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ଲାଗିପାରେ। ଦଳର ଉପ ଅଧିନାୟକ ତଥା ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପ୍ରଥମ ଦିନିକିଆରେ ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆଣ୍ଠୁରେ ଆଘାତ ଲାଗିଥିବା କାରଣରୁ ସେ ପ୍ରଥମ ମ୍ୟାଚରୁ ବାଦ୍ ପଡି ପାରନ୍ତି। ହେଲେ ଆନୁଷ୍ଠାନିକ ଭାବେ ଏହା ଉପରେ କୌଣସି ସୂଚନା ଦିଆଯାଇନାହିଁ। ଏବେ ଅଧିନାୟକ ଶିଖର ଧାଓ୍ଵନ ମ୍ୟାଚ୍ ପୂର୍ବରୁ ଜାଡେଜାଙ୍କ ଆଘାତ ନେଇ ସୂଚନା ଦେଇଛନ୍ତି।

ମ୍ୟାଚ୍ ପୂର୍ବରୁ ଧାଓ୍ଵନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜାଡେଜା ଏବେ କିଛିଟା ଆହତଜନିତ ସମସ୍ୟାରେ ଅଛନ୍ତି। ଏଥିପାଇଁ ଏବେଠୁ ସ୍ପଷ୍ଟ କହି ପାରିବୁନି ଯେ, ଜାଡେଜା ପ୍ରଥମ ଦିନିକିଆ ଖେଳି ପାରିବେ କି ନାହିଁ। ବିସିସିଆଇ ଅଦ୍ୟାବଧି ଜାଡେଜାଙ୍କ ଆହତ ହେବା ବିଷୟରେ ଆନୁଷ୍ଠାନିକ ସୂଚନା ଦେଇ ନାହିଁ। ମାତ୍ର ଧାଓ୍ଵନ ସ୍ପଷ୍ଟ କରି ଦେଇଛନ୍ତି ଯେ, ଜାଡେଜା ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି।

ଧାଓ୍ଵନ ଦ୍ଵିତୀୟ ଥର ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ଵ ନେଉଛନ୍ତି। ଏହା ପୂର୍ବରୁ ସେ ଶ୍ରୀଲଙ୍କା ଗସ୍ତରେ ଦଳର ନେତୃତ୍ଵ ନେଇଥିଲେ। ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଏବଂ ଋଷଭ ପନ୍ତଙ୍କ ପରି ଦିଗଜ ଖେଳାଳିଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି।

ଜାଡେଜା ଉଭୟ ବ୍ୟାଟ୍ ଏବଂ ବଲରେ ଯେଉଁଭଳି ଫର୍ମରେ ଅଛନ୍ତି, ଯଦି ସେ ଦଳରୁ ବାଦ୍ ପଡନ୍ତି ତେବେ ଧାଓ୍ଵନଙ୍କ ପାଇଁ ମୁସ୍କିଲ ବଢିପାରେ। ମ୍ୟାଚ୍ ଠିକ୍ ପୂର୍ବରୁ ଜାଡେଜା ଖେଳିବେ କି ନାହିଁ ସ୍ପଷ୍ଟ ହୋଇଯିବ। ବର୍ତ୍ତମାନ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି। ଯଦି ସେ ଦଳରୁ ବାଦ୍ ପଡନ୍ତି ତେବେ ଅକ୍ଷର ପଟେଲଙ୍କୁ ଦଳରେ ସ୍ଥାନ ମିଳିପାରେ।

Get real time updates directly on you device, subscribe now.