ନୂଆଦିଲ୍ଲୀ: ଗାଡ଼ି ପଞ୍ଜୀକରଣ (ଆରସି) ଓ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ଆଧାର ସହ ଲିଙ୍କ୍ ହେବାକୁ ଯାଉଥିବା ବେଳେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀମାନେ ମୋବାଇଲ ନମ୍ବର କିମ୍ବା ଠିକଣା ବଦଳାଇ ଜରିମାନାରୁ ଦୂରେଇ ରହିବାର ଦିନ ଶେଷ ହେବାକୁ ଯାଉଛି।
ଗାଡ଼ି ମାଲିକ ଓ ଡ୍ରାଇଭିଂ ଲାଇସେନ୍ସଧାରୀଙ୍କୁ ସେମାନଙ୍କ ଆଧାର ଲିଙ୍କ୍ ଠିକଣା, ମୋବାଇଲ୍ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ଅପଡେଟ୍ କରିବା ବାଧ୍ୟତାମୂଳକ କରିବା ପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟ ଏକ ନୂଆ ନିୟମ ଆଣିବାକୁ ବିଚାର କରୁଛି।
ଅର୍ଥାତ୍ ଯଦି ଆପଣଙ୍କ ପାଖରେ କାର୍, ବାଇକ୍ କିମ୍ବା କୌଣସି ମୋଟର ଯାନ ଅଛି, ତେବେ ସରକାର ଖୁବଶୀଘ୍ର ଆପଣଙ୍କୁ ଆପଣଙ୍କ ଠିକଣା ବିବରଣୀ ଅପଡେଟ୍ କରି ଆଧାର ସହ ଲିଙ୍କ୍ କରିବାକୁ କହିପାରନ୍ତି।
ଏହାଦ୍ୱାରା ଚାଲାଣ କଟାଗଲେ ଗାଡ଼ି ମାଲିକ ଓ ଡ୍ରାଇଭରଙ୍କ ଠିକଣା ସହଜରେ ମିଳିପାରିବ। ମନ୍ତ୍ରଣାଳୟ ଏହାକୁ ମୋଟର ଯାନ ଆଇନରେ ପ୍ରସ୍ତାବିତ ସଂଶୋଧନର ଏକ ଅଂଶ କରିବାକୁ ବିଚାର କରୁଛି।
ରାସ୍ତାରେ ଗାଡି ନିୟମ ଉଲ୍ଲଂଘନକାରୀଙ୍କୁ ରୋକିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଅଧିକାରୀମାନେ କହିଛନ୍ତି ଯେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଅନେକ ଲୋକ ସେମାନଙ୍କ ଉପରେ ଲଗାଯାଇଥିବା ଜରିମାନା ପୈଠ କରୁନାହାଁନ୍ତି।
ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ କଡ଼ା ତଦାରଖ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଜରିମାନା ଓ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଲୋକମାନେ ମୋବାଇଲ ନମ୍ବର ବଦଳାଇ ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ଦେଖିବାକୁ ମିଳିଛି।
କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଏହି ସହଜ ଉପାୟକୁ ରୋକିବା ପାଇଁ ଏହି ପରିବର୍ତ୍ତନ ଉପରେ ବିଚାର କରାଯାଉଛି।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ପରିବହନ ବିଭାଗ ପକ୍ଷରୁ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦିଆଯାଇଥିବା ଚାଲାଣ ମଧ୍ୟରୁ ୧୨ ହଜାର କୋଟିଟଙ୍କାରୁ ଅଧିକ ଟଙ୍କାର ଇ-ଚାଲାଣ ପୈଠ ହୋଇନାହିଁ।
ଏହି ବିଫଳତାର ମୁଖ୍ୟ କାରଣ ହେଉଛି ପରିବହନ ବିଭାଗ ଯେଉଁ ଡାଟାବେସ୍ରୁ ଇ-ଇନ୍ ଭଏସ୍ ବ୍ୟବସ୍ଥା ଚଳାଉଛି ତାହା ଠିକ୍ ନୁହେଁ। ଏଥିରେ ଲୋକଙ୍କ ଠିକଣା ଓ ମୋବାଇଲ ୍ ନମ୍ବର ନିୟମିତ ଅପଡେଟ୍ ହେଉନାହିଁ।