fbpx

ଆଜି ଆରୁଣାଚଳ ପ୍ରଦେଶର ୮ଟି ମତଦାନ କେନ୍ଦ୍ରରେ ପୁନଃ ଭୋଟ୍ ଗ୍ରହଣ, ପ୍ରଥମ ଭୋଟିଂ ସମୟରେ ହିଂସା କାରଣରୁ ଏଭଳି ନିଷ୍ପତ୍ତି ନେଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆଜି ଅରୁଣାଚଳ ପ୍ରଦେଶର ୮ ଟି କେନ୍ଦ୍ରରେ ଦ୍ୱିତୀୟ ଥର ପାଇଁ ମତଦାନ ଅନୁଷ୍ଠିତ ହେଉଛି । ଏପ୍ରିଲ ୧୯କୁ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟିଂ ସମୟରେ ମତଦାନ କେନ୍ଦ୍ରରେ ହିଂସା ଦେଖାଦେଇଥିଲା । ଏନେଇ ଅରୁଣାଚଳ ପ୍ରଦେଶର ନିର୍ବାଚନ ଆୟୋଗ ୪ଟି ଜିଲ୍ଲାର ୮ଟି ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନକୁ ଅବୈଦ୍ଧ ଘୋଷିତ କରିଥିଲେ । ଏହା ପରେ ଏହି ୮ଟି କେନ୍ଦ୍ରରେ ପୁନଃ ଭୋଟ ଗ୍ରହଣ ହେବା ନେଇ ନିର୍ବାଚନ ଆୟୋଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

ଅରୁଣାଚଳ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ପବନ କୁମାର ସେନ୍ ଏକ ବିବୃତ୍ତିରେ ପ୍ରକାଶା କରିଛନ୍ତି ଯେ ଆଜି (ଏପ୍ରିଲ ୨୪) ଅରୁଣାଚଳ ପ୍ରଦେଶର ୮ଟି କେନ୍ଦ୍ରରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ପୂର୍ବ କାମେଙ୍ଗ୍ ଜିଲ୍ଲାର ବାମେଙ୍ଗ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ସାରିୟୋ, କରୁଙ୍ଗ୍ କୁମେୟରେ ନ୍ୟାୟପିନ୍ ବିଧାନସଭା ଆସନର ଲୋଙ୍ଗଟେ ଲୋଥ୍‌, ଉପରି ସୁବନମସିରି ଜିଲ୍ଲାରେ ନାଚୋ ନିର୍ବାଚନ ମଣ୍ଡଳୀର ଡିଙ୍ଗସୋର, ବୋଗିୟା ସିୟୁମ୍‌, ଜିମ୍ବାରୀ ଏବଂ ଲେଙ୍ଗି, ସିୟାଙ୍ଗ୍ ଜିଲ୍ଲାରେ ରୁମଗୋଙ୍ଗ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ବୋଗ୍ନେ ଏବଂ ମୋଲୋମ ମତଦାନ କେନ୍ଦ୍ରରେ ୨ୟ ଥର ପାଇଁ ଭୋଟ ଗ୍ରହଣ ହେବା ନେଇ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ସୂଚନାରୁ ପ୍ରକାଶ ଏପ୍ରିଲ ୧୯ରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଅରୁଣାଚଳ ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିଲା । ଏଥିରେ ପ୍ରାୟ ୮.୯୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ୭୬.୪୪ରୁ ଉର୍ଦ୍ଧ୍ୱ ଭୋଟର ୨ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୬୦ ବିଧାନସଭା ଆସନରୁ ୫୦ରେ ଭୋଟ ଦେଇଥିଲେ । ତେବେ ଏହି ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନରେ ତୃଟି କାରଣରୁ ଘଟଣାସ୍ଥଳରେ ହିଂସା ଭଳି ଘଟଣା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.