fbpx

ଗତ ଏକ ବର୍ଷରେ ୭୫ ଟନ ସୁନା କିଣିଛି ଆରବିଆଇ, ଜାଣନ୍ତୁ ଏତେ ସୁନା କେଉଁଠି ରଖିଛି ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ଆମ ଦେଶରେ ଲୋକଙ୍କୁ ସୁନା ଉପରେ ନିବେଶ କରିବାକୁ ଭାରି ପସନ୍ଦ । ଏହି ମାମଲାରେ ରିଜର୍ଭ ବ୍ୟାଙ୍କ ମଧ୍ୟ ପଛରେ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗତ ଗୋଟିଏ ବର୍ଷରେ ପାଖାପାଖି ୭୫ ଟନ ସୁନା କିଣିଛି । ସେପଟେ ରିଜର୍ଭ ବ୍ୟାଙ୍କ ପାଖରେ ପ୍ରାୟ ୬୪୦ ଅରବ ଡଲାର(ପାଖାପାଖି ୪୬.୮୩ ଲକ୍ଷ କୋଟି ଟଙ୍କା)ର ବିଦେଶୀ ମୁଦ୍ରା ଭଣ୍ଡାର ରହିଛି । ଏଥିରୁ ପ୍ରାୟ ୭୪୪ ଟନ ହେଉଛି ସୁନା । ଗତ ୧୨ ମାସରେ ରିଜର୍ଭ ବ୍ୟାଙ୍କର ସୁନା ଭଣ୍ଡାର ଅନେକ ଗୁଣ ବୃଦ୍ଧି ଘଟିଛି ।

ଆରବିଆଇ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ୨୦୨୧ ସେପ୍ଟେମ୍ବର ସୁଦ୍ଧା ଏହାର ଭଣ୍ଡାରରେ ୭୪୩.୮୪ ଟନ ସୁନା ରହିଥିଲା । ଏହା ୨୦୨୦ ସେପ୍ଟେମ୍ବର ତୂଳନାରେ ପ୍ରାୟ ୧୧ ପ୍ରତିଶତ ଅଧିକ । ୨୦୨୦ ସେପ୍ଟେମ୍ବରରେ ଆରବିଆଇର ଭଣ୍ଡାରରେ ୬୬୮.୨୫ ଟନ ସୁନା ରହିଥିଲା । ଏହି ପରି ଗତ ୧୨ ମାସରେ ରିଜର୍ଭ ବ୍ୟାଙ୍କ ୭୫.୫୯ ଟନ ଅତିରିକ୍ତ ସୁନା କିଣିଛି ।

ମୂୂଲ୍ୟ କେତେ

ସାଂପ୍ରତିକ ବଜାୟର ମୂଲ୍ୟ ହିସାବରେ ଏହି ସୁନାର ମୂଲ୍ୟ ପ୍ରାୟ ୩.୨ ଲକ୍ଷ କୋଟି ଟଙ୍କା ହେବ । ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଗୋଟିଏ ବର୍ଷରେ ଆରବିଆଇ ଗୋଲ୍ଡ ହୋଲଡିଙ୍ଗର ମୂଲ୍ୟ ପ୍ରାୟ ୭,୧୫୦ କୋଟି ଟଙ୍କା ବୃଦ୍ଧି ଘଟିଛି । ଗତ ଦୁଇ ବର୍ଷରେ ରିଜର୍ଭ ବ୍ୟାଙ୍କର ସୁନା ଭଣ୍ଡାରରେ ପ୍ରାୟ ୧୨୫.୬ ଟନ ସୁନା ବୃଦ୍ଧି ଘଟିଛି । ଏହି କାରଣରୁ ଭାରତ ଦୁନିଆର ନବମ ସବୁଠୁ ବଡ ସୁନା ଭଣ୍ଡାରର ଦେଶରେ ପରିଣତ ହୋଇଛି ।

କେଉଁଠି ଅଛି ଏତେ ସବୁ ସୁନା

ଆରବିଆଇ ଅନୁଯାୟୀ, ଏହି ଭଣ୍ଡାର ମଧ୍ୟରୁ ୪୫୧.୫୪ ଟନ ସୁନା ବ୍ୟାଙ୍କ ଅଫ ଇଂଲଣ୍ଡ ଏବଂ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟ(ବିଆଇଏ)ର ସେଫ କଷ୍ଟଡିରେ ବିଦେଶରେ ରହିଛି । ବାକି ପ୍ରାୟ ୨୯୨.୩୦ ଟନ ସୁନା ଭାରତରେ ରଖାଯାଇଛି ।

Get real time updates directly on you device, subscribe now.