fbpx

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟିକରଣ: ସଂରକ୍ଷିତ ପଦକୁ ଅଣସଂରକ୍ଷିତ ଭାବେ ଘୋଷଣା କରାଯାଇ ପାରିବନି, UGC ପ୍ରସ୍ତାବ ଖାରଜ ହେଲା

ନୂଆଦିଲ୍ଲୀ: ଅଣସଂରକ୍ଷିତ ପଦ ସଂରକ୍ଷିତ ହୋଇ ପାରିବନି । ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ସଂରକ୍ଷିତ ବର୍ଗର ଯୋଗ୍ୟ ପ୍ରାର୍ଥୀ ନ ମିଳିଲେ ସେ କ୍ଷେତ୍ରରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଦ୍ୱାରା ଉକ୍ତ ଖାଲି ପଦ ପୂରଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନୂଆ ଡ୍ରାଫ୍ଟ ଗାଇଡଲାଇନ ଜାରି କରାଯାଇଥିଲା । ତେବେ ୟୁଜିସିର ସେହି ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଖାରଜ କରିଦିଆଯାଇ ଏନେଇ ସ୍ପଷ୍ଟିକରଣ ଜାରି କରାଯାଇଛି ।

ୟୁଜିସି ପକ୍ଷରୁ ଜାରି ଉକ୍ତ ପ୍ରସ୍ତାବକୁ ବିଭିନ୍ନ ମହଲରୁ ବିରୋଧ କରାଯିବା ପରେ ଶିକ୍ଷା ମନ୍ତ୍ରଣାଳୟ ସେଥିରୁ ଓହରି ଯାଇଛି । ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଖାଲି ପଦ ପୂରଣ ପାଇଁ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି) ବର୍ଗର ଯୋଗ୍ୟ ପ୍ରାର୍ଥୀ ମିଳୁ ନଥିବାରୁ ସେ କ୍ଷେତ୍ରରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଦ୍ୱାରା ଉକ୍ତ ଖାଲି ପଦ ପୂରଣ କରାଯିବା ନେଇ ୟୁଜିସି ପକ୍ଷରୁ ନୂଆ ଡ୍ରାଫ୍ଟ ଗାଇଡଲାଇନ୍ ଜାରି କରାଯାଇଥିଲା ।

ୟୁଜିସିର ପ୍ରସ୍ତାବକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା । ଉଚ୍ଚ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଥିବା କଂଗ୍ରେସ ଅଭିଯୋଗ କରିଥିଲା । କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନମାନଙ୍କରେ ପୂର୍ବରୁ ଥିବା ସଂରକ୍ଷିତ ପଦଗୁଡ଼ିକୁ ଅଣସଂରକ୍ଷିତ କରାଯିବ ନାହିଁ ବୋଲି ୟୁଜିସି ଅଧ୍ୟକ୍ଷ ଏମ. ଜଗଦୀଶ କୁମାର କହିଛନ୍ତି । ଖାଲି ଥିବା ପଦ ପୂରଣ ପାଇଁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆଇନ, ୨୦୧୯କୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଏନେଇ ସମସ୍ତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନକୁ ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ଅଣସଂରକ୍ଷିତ ପ୍ରକ୍ରିୟା ଶେଷ ହେବା ପରେ ଏକ ସଂରକ୍ଷିତ ଖାଲି ସ୍ଥାନକୁ ଅସଂରକ୍ଷିତ ଘୋଷଣା କରାଯାଇ ପାରିବ ଓ ଏହାକୁ ଅଣସଂରକ୍ଷିତ ଖାଲି ପଦ ଭାବେ ପୂରଣ କରାଯାଇ ପାରିବ । ସିଧାସଳଖ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷିତ ପଦକୁ ଅଣସଂରକ୍ଷିତ କରିବା ବେଆଇନ ବୋଲି କୁହାଯାଇଛି ।

Get real time updates directly on you device, subscribe now.