fbpx

କମିଶନରେଟ ପୋଲିସରେ ଅଦଳବଦଳ, ୪ ଜଣ ACPଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆର୍ଥିକ ବର୍ଷ ଆରମ୍ଭରେ ରାଜ୍ୟ ସରକାର ଅନେକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଚଳିତ ମାସ ପହିଲାରେ ରାଜ୍ୟ ସରକାର କାଳିଆ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ପଠାଇବା ସହିତ ପୁରୀ-ଭୁବନେଶ୍ୱର-କଟକ ମେଟ୍ରୋ ଟ୍ରେନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ତେବେ ଏଥିସହିତ ମାସ ଆରମ୍ଭରୁ ରାଜ୍ୟ ସରକାର କମିଶନରେଟ ପୋଲିସରେ ଅଦଳବଦଳ କରିଛନ୍ତି ।

ସୂଚନା ମୁତାବକ, କମିଶନରେଟ ପୋଲିସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ୪ ଜଣ ଆସିଷ୍ଟାଣ୍ଟ ପୋଲିସ କମିଶନର (ଏସିପି), ଜଣେ ଇନ୍ସପେକ୍ଟର ଓ ଦୁଇ ଜଣ ଏସଆଇଙ୍କୁ ନୂଆ ସ୍ଥାନରେ ଦାୟିତ୍ୱ ଦିଆଯାଇଛି । ରାଜଧାନୀ ଭୁବନେଶ୍ୱର ୟୁପିଡି ଜୋନ-୨ର ଏସିପି ଦାୟିତ୍ୱରେ ଥିବା ଅନିରୁଦ୍ଧ ରାଉତରାୟଙ୍କୁ ଟ୍ୱିନ ସିଟିର ସ୍ପେଶାଲ କ୍ରାଇମ୍ ୟୁନିଟରେ ନୂଆ ଦାୟିତ୍ୱ ଦିଆଯାଇଛି ।

ସେହିପରି ସ୍ପେଶାଲ କ୍ରାଇମ୍ ୟୁନିଟ ଦାୟିତ୍ୱରେ ଥିବା ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ଜୋନ-୨ର ଏସିପି ଦାୟିତ୍ୱ ଦିଆଯାଇଛି । ଜୋନ-୩ର ଏସିପି ରଜତ ରାୟଙ୍କୁ କମିଶନରେଟ ପୋଲିସ ହେଡ ଅଫିସକୁ ଟ୍ରାନ୍ସଫର କରାଯାଇଛି । ପ୍ରଦୀପ କୁମାର ରାଉତଙ୍କୁ ଜୋନ-୩ ଏସପି ଦାୟିତ୍ୱ ଦିଆଯାଇଛି । ଇନ୍ସପେକ୍ଟର ସନ୍ତୋଷ କୁମାର ଜେନାଙ୍କୁ ଭୁବନେଶ୍ୱର ୟୁପିଡିର ଆଇଏଏଚଟିୟୁକୁ ଓ ଏସଆଇ ରାଧାକୃଷ୍ଣ ମହାନ୍ତି ଓ ଆଶିଷ କୁମାର ଦାସଙ୍କୁ କଟକ ୟୁପିଡିକୁ ଟ୍ରାନ୍ସଫର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ମାସ ମଧ୍ୟରେ କମିଶନରେଟ୍ ପୋଲିସରେ ଏକ ବଡ଼ଧରଣର ଅଦଳବଦଳ ହୋଇଥିଲା । ସେ ସମୟରେ ୨୦ ଜଣ ଅଫିସରଙ୍କୁ ନୂଆ ସ୍ଥାନରେ ଦାୟିତ୍ୱ ମିଳିଥିଲା । ତା’ ପୂର୍ବରୁ ଅଗଷ୍ଟ ମାସରେ ଏସିପି / ଇନ୍ସପେକ୍ଟର ଓ ଏସଆଇ ସ୍ତରରେ ୩୧ ଜଣ ଅଧିକାରୀଙ୍କୁ ଅଦଳବଦଳ କରାଯାଇଥିଲା ।

Get real time updates directly on you device, subscribe now.