ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଵାମୀ ତଥା ଉଦ୍ୟୋଗପତି ରବର୍ଟ ଭଦ୍ରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୋମବାର ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହେବା ପୂର୍ବରୁ ତାଙ୍କ ସମର୍ଥନରେ ଫେସବୁକରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ରାହୁଲ ଆପଣ ସମସ୍ତ ଭିତ୍ତିହୀନ ଅଭିଯୋଗରୁ ନିଃସନ୍ଦେହ ମୁକ୍ତ ହୋଇଯିବେ। ମୋତେ ଏମିତି ୧୫ ଥର ସମନ ମିଳି ସାରିଛି। ମୁଁ ଇଡିର ସାମ୍ନା କରି ସାରିଛି। ମୁଁ ସେମାନଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଛି ଏବଂ ମୋ ଆୟ ସଂପର୍କିତ ୨୩ ହଜାରରୁ ଅଧିକ କାଗଜପତ୍ର ଜମା କରିଛି। ମୋର ବିଶ୍ଵାସ ଯେ,ସତ୍ୟର ବିଜୟ ହେବ।
ଭଦ୍ରା ଏହା ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ଦେଶର ଜନତାଙ୍କୁ ଏହି ପ୍ରକ୍ରିୟାରେ ଉତ୍ପୀଡନ କରି ଦୁର୍ବଳ କରି ପାରିବ ନାହିଁ। ଓଲଟା ଏମିତି ସିଷ୍ଟମ ଆମକୁ ଅଧିକ ମଜବୁତ କରିବ। ଆମେ ଏଠାରେ ପ୍ରତିଦିନ ସତ୍ୟର ଲଢେଇ ପାଇଁ ରହିଛୁ ଏବଂ ଦେଶବାସୀ ଆମ ସହିତ ଅଛନ୍ତି। ରାହୁଲ ଜୀ ଆପଣଙ୍କ ବିଜୟ ହେବ ବୋଲି ଭଦ୍ରା କହିଛନ୍ତି।
କଂଗ୍ରେସ ସୋମବାର ଅଭିଯୋଗ କରିଛି ଯେ, ରାହୁଲ ଗାନ୍ଧୀଙ୍କ ଇଡିରେ ହାଜର ହେବା ନେଇ ପାର୍ଟିର ପ୍ରସ୍ତାବିତ ସତ୍ୟାଗ୍ରହକୁ ରୋକିବା ପାଇଁ କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଅଘୋଷିତ ଜରୁରୀକାଳୀନ ଲାଗୁ କରିଛନ୍ତି। ପୋଲିସ କଂଗ୍ରେସର ବହୁ ସଂଖ୍ୟାରେ କାର୍ୟ୍ୟକର୍ତ୍ତାଙ୍କୁ ଅଟକ ରଖିଥିବା ଏବଂ ଅନେକ ନେତାଙ୍କୁ ନଜରବନ୍ଦୀ କରିଥିବା ଦାବି କରିଛନ୍ତି ପାର୍ଟିର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା।
ସୁରଜେଓ୍ଵାଲା କହିଛନ୍ତି, ଦିଲ୍ଲୀ ପୋଲିସ ଗତକାଲି ରାତିଠୁ ଧରପଗଡ ଆରମ୍ଭ କରି ଦେଇଥିଲା। ଦିଲ୍ଲୀକୁ ପୋଲିସ ଛାଉଣିରେ ପରିଣତ କରି ଦିଆଗଲା। ହଜାର ହଜାର ସଂଖ୍ୟାରେ କାର୍ୟ୍ୟକର୍ତ୍ତାଙ୍କୁ ଅଟକ ରଖାଗଲା। ଏହି ପରି ମୋଦୀ ସରକାର ରାଜଧାନୀରେ ଅଘୋଷିତ ଜରୁରୀକାଳୀନ ଲାଗୁ କରିଛନ୍ତି। ମୋଦୀ ଏହା ଜାଣି ରଖନ୍ତୁ ଯେ, ସତ୍ୟାଗ୍ରହକୁ କେହି ରୋକି ପାରିବେ ନାହିଁ। ଆମେ ନଇଁବା ଲୋକ ନୁହେଁ, ଆମେ ଡରିବାର ଲୋକ ନୁହେଁ। ଏହା ସତ୍ୟ ପାଇଁ ଲଢେଇ ଏବଂ ଏହି ଲଢେଇ ଜାରି ରହିବ ବୋଲି ସୁରଜେଓ୍ଵାଲା କହିଛନ୍ତି।