ରୋହିତ, ଗିଲ୍ ନା ରାହୁଲ… ଦ୍ୱିତୀୟ ଟେଷ୍ଟରେ କାହକୁ ମିଳିବ ସୁଯୋଗ? Confuse ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତି ଥିବା ବେଳେ ଭାରତ ବୁମରାହଙ୍କ ନେତୃତ୍ୱରେ ଏହି ରେକର୍ଡ ସୃଷ୍ଟି କରିଛି । କିନ୍ତୁ ଏବେ ରୋହିତ ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ସହିତ ସାମିଲ ହୋଇ ସାରିଛନ୍ତି । କିନ୍ତୁ ରୋହିତଙ୍କ କମବ୍ୟାକ ପରେ ଟିମ ମ୍ୟାନେଜମେଣ୍ଟ ପୁଣିଥରେ ଦ୍ୱନ୍ଦ୍ୱରେ ପଡ଼ିଯାଇଛି । ପ୍ଲେଇଙ୍ଗ-୧୧କୁ ନେଇ ଚିନ୍ତାରେ ପଡ଼ିଛି ଟିମ ଇଣ୍ଡିଆ । ସେପଟେ ଗିଲ୍ ମଧ୍ୟ ଏହି ଟେଷ୍ଟରେ କମବ୍ୟାକ ପରିପାରନ୍ତି ।

ପ୍ରଥମ ଟେଷ୍ଟ ବିଜୟ ପରେ ଦ୍ୱିତୀୟ ମ୍ୟାଚ୍ ପାଇଁ ପ୍ରସ୍ତୁତି କରୁଛି ଟିମ ଇଣ୍ଡିଆ । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଭାରତର ପ୍ଲେଇଙ୍ଗ-୧୧କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ବିଶେଷ କରି ଓପନିଙ୍ଗ ଯୋଡ଼ି ଏବଂ ୩ ନମ୍ବର ଖେଳାଳିଙ୍କୁ ନେଇ ଚାଲିଛି ଅଙ୍କକଷା । ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ କମବ୍ୟାକ କେ.ଏଲ ରାହୁଲ ଏବଂ ଧ୍ରୁବ ଜୁରେଲଙ୍କୁ ପ୍ଲେଇଙ୍ଗ-୧୧ରୁ ବାଦ୍ ଦେଇପାରେ । ୩ ଜଣ ଖେଳାଳିଙ୍କ ବ୍ୟାଟିଂ ପୋଜିସନକୁ ନେଇ ଟିମ ମ୍ୟାନେଜମେଣ୍ଟ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ।

ଦୀର୍ଘ ଦିନରୁ ଫର୍ମ ହରାଇ ବଡ଼ ଇନିଂସ ଖେଳିବାରେ ବିଫଳ ରହିଥିଲେ କେ.ଏଲ ରାହୁଲ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ରାହୁଲ ଦଳ ପାଇଁ ସଂକଟମୋଚକ ସାଜିଛନ୍ତି । ପ୍ରଥମ ଇନିଂସରେ ଅଧିକ ସମୟ ପିଚରେ ରହିବାକୁ ଚେଷ୍ଟା କରୁଥିବା ବେଳେ ଦ୍ୱିତୀୟ ଇନିଂସରେ ୭୭ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି ରାହୁଲ । ତେବେ ଅଧିନାୟକ ରୋହିତ ମଧ୍ୟ ଦୀର୍ଘ ଦିନରୁ ରନ୍ କରିବାରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ତେଣୁ ଦେଖିବାକୁ ବାକି ରହିଲା ଦ୍ୱିତୀୟ ଟେଷ୍ଟରେ ରୋହିତ କାହାକୁ ଓପନିଙ୍ଗ ଦାୟିତ୍ୱ ଦେଉଛନ୍ତି । ତେବେ ରୋହିତ ଏହି ମ୍ୟାଚରେ ମିଡିଲ ଅର୍ଡରରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇପାରନ୍ତି ।

ଆଙ୍ଗୁଠିରେ ଆଘାତ ସମସ୍ୟା ଯୋଗୁଁ ଭାରତର ଷ୍ଟାର ବ୍ୟାଟର ଶୁଭମନ ଗିଲ୍ ଦଳରୁ ବାଦ୍ ପଡ଼ିଥିଲେ । କିନ୍ତୁ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଗିଲ୍ ପ୍ଲେଇଙ୍ଗ-୧୧ରେ କମବ୍ୟାକ କରିପାରନ୍ତି । ତେବେ ଗିଲ୍ ଦଳକୁ ଫେରିଲେ ଧ୍ରୁବ ଜୁରେଲ ଦଳରୁ ବାଦ୍ ପଡ଼ିପାରନ୍ତି । ପର୍ଥ ଟେଷ୍ଟର ଉଭୟ ଇନିଂସରେ ନିରାଶ କରିଛନ୍ତି ଧ୍ରୁବ ଜୁରେଲ । ତେଣୁ ଗିଲ୍ ୩ ନମ୍ବରରେ ବ୍ୟାଟିଂ କଲେ ରୋହିତ କିମ୍ବା ରାହୁଲ ମିଡିଲ ଅର୍ଡରରେ ବ୍ୟାଟିଂ କରିପାରନ୍ତି ।

ଆଡିଲେଡ ଟେଷ୍ଟ ପୂର୍ବରୁ କାନବେରାରେ ୩୦ ତାରିଖରେ ଏକ ଅଭ୍ୟାସ ମ୍ୟାଚ୍ ଖେଳିବ ଟିମ ଇଣ୍ଡିଆ । ଅଧିନାୟକ ରୋହିତ ମଧ୍ୟ ଏହି ଟେଷ୍ଟରେ ସାମିଲ ହେବେ । ତେବେ ଏହି ମ୍ୟାଚ୍ ପରେ ଦଳର ବ୍ୟାଟିଂ ପୋଜିସନ୍ ମଧ୍ୟ ସ୍ପଷ୍ଟ ହୋଇଯିବ । ସେହିପରି ପ୍ଲେଇଙ୍ଗ-୧୧ରେ ଶୁଭମନ ଗିଲଙ୍କ ସ୍ଥାନ ପାଇବା ନେଇ ମଧ୍ୟ ସ୍ପଷ୍ଟ ହୋଇପାରିବ ।