fbpx

କାର୍ତ୍ତିକଙ୍କ ବ୍ୟାଟ୍‌ରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ ରୋହିତ ଶର୍ମା, ଏମିତି ଥିଲା ସେ ଦିନର ଘଟଣା

Advertisement

ନୂଆଦିଲ୍ଲୀ: ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ତଥା କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ ଦିନେଶ କାର୍ତ୍ତିକ ଜୁନ ୧ ତାରିଖ ନିଜର ଜନ୍ମ ଦିନ ପାଳନ କରୁଛନ୍ତି। ଧଳା ବଲ କ୍ରିକେଟରେ ସବୁଠୁ ଅନୁଭବୀ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ଦିନେଶ କାର୍ତ୍ତିକ ୨୦୦୪ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ସେ ୨୦୦୭ ଟି-୨୦ ବିଶ୍ଵ କପ୍ ଓ  ୨୦୧୩ ଚମ୍ପିଆନ୍ସ ଟ୍ରଫି ଜିତିଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵାଧୀନ ଭାରତୀୟ ଦଳର ସଦସ୍ୟ ମଧ୍ୟ ଥିଲେ।

ମହେନ୍ଦ୍ର ସିଂହ ଧୋନୀଙ୍କଠୁ ମାତ୍ର ତିନି ମାସ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାପର୍ଣ କରିଥିବା ଦିନେଶ କାର୍ତ୍ତିକ ନିୟମିତ ଦଳରେ ନିଜର ସ୍ଥାନ ବଜାୟ ରଖି ପାରୁନଥିଲେ। କାର୍ତ୍ତିକଙ୍କୁ ଭାରତୀୟ ଦଳର ଅନେକ ଖେଳାଳିଙ୍କ ସହ ଖେଳିବାର ସୁଯୋଗ ମିଳିଛି। କାର୍ତ୍ତିକଙ୍କ ହିଟମ୍ୟାନ୍ ରୋହିତ ଶର୍ମାଙ୍କ ସହିତ ଅନେକ ଖେଳାଳିଙ୍କ ସହ ମଧୁର ସଂପର୍କ ରହିଛି।

ରୋହିତଙ୍କ ସହ କାର୍ତ୍ତିକଙ୍କ ଏକ ରୋଚକ କାହାଣୀ ରହିଛି। ୨୦୦୭ ଟି-୨୦ ବିଶ୍ଵ କପରେ ରୋହିତଙ୍କ କ୍ୟାରିୟରକୁ ନୂତନ ମୋଡ ଦେବାରେ ମଧ୍ୟ ଦିନେଶ କାର୍ତ୍ତିକଙ୍କ ଭୂମିକା ରହିଛି। ରୋହିତ ଉକ୍ତ ବିଶ୍ଵ କପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏହି ପ୍ରଥମ ଅର୍ଦ୍ଧଶତକ ଦିନେଶ କାର୍ତ୍ତିକଙ୍କ ବ୍ୟାଟ୍‌ରୁ ଆସିଥିଲା। ଉକ୍ତ ଇନିଂସ ଜରିଆରେ ରୋହିତ ଭାରତକୁ ବିଜୟୀ କରାଇଥିଲେ।

 

କାର୍ତ୍ତିକ କହିଛନ୍ତି ଯେ, ରୋହିତ ଡର୍ବାନରେ ଖେଳାଯାଇଥିବା ମୁକାବିଲାରେ ତାଙ୍କ ବ୍ୟାଟ୍‌ରେ ବ୍ୟାଟିଂ କରି ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାକୁ ନେଇ ମୁଁ ଗର୍ବିତ। ମ୍ୟାଚ୍‌ରେ  ବ୍ୟାଟିଂ ପୂର୍ବରୁ ମୁଁ ରୋହିତଙ୍କୁ ଏହା ଖରାପ ବ୍ୟାଟ୍  ବୋଲି କହିଥିଲି। ରୋହିତ କହିଥିଲେ, କଣ ତୁମକୁ ଲାଗୁନାହିଁ ଏହା ଭଲ ବ୍ୟାଟ୍ ବୋଲି ? ତେବେ ମୋତେ ଦେଇ ଦିଅ।

ସେହି ଦିନ ରୋହିତ ଉକ୍ତ ବ୍ୟାଟ୍‌ ଧରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡିଆକୁ ଓହ୍ଲାଇଥିଲେ ଏବଂ ଦମଦାର ଇନିଂସ ଖେଳିଥିଲେ। ମୋତେ ସେହି ଦିନର ଘଟଣା ଆଜି ମଧ୍ୟ ମନେ ଅଛି। ଏହି ପରି ସ୍ମୁତି ମୋ ପାଇଁ ଗୁରୁତ୍ଵ ବହନ କରେ ବୋଲି କାର୍ତ୍ତିକ କହିଛନ୍ତି। ରୋହିତ ଶର୍ମା ଉକ୍ତ ମ୍ୟାଚ୍‌ରେ ୪୦ ବଲରୁ ୫୦ ରନର  ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ଡର୍ବାନରେ ଖେଳା ଯାଇଥିବା ଏହି ମୁକାବିଲାରେ ଭାରତ ୩୭ ରନରେ ବିଜୟୀ ହୋଇଥିଲା।

Get real time updates directly on you device, subscribe now.