ଖେଳି ନପାରନ୍ତି ରୋହିତ, ଟେଷ୍ଟ ସିରିଜର କ୍ୟାପଟେନ ହୋଇ ପାରନ୍ତି ବୁମରାହ
ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର କ’ଣ ଶେଷ ହୋଇଗଲା? ହିଟମ୍ୟାନ୍ ନୁହେଁ, ଏହି ଖେଳାଳି ଇଂଲଣ୍ଡ ଗସ୍ତରେ ଅଧିନାୟକ ହୋଇପାରନ୍ତି।
ନୂଆଦିଲ୍ଲୀ: ଆଗକୁ ଆସୁଛି ଟେଷ୍ଟ ମ୍ୟାଚ୍। ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ହେଲେ ତା ପୂର୍ବରୁ ଏକ ବଡ଼ ସୂଚନା ମିଳିଛି। କି ଚଳିତ ବର୍ଷ ଠାରୁ ଭାରତୀୟ କ୍ୟାପଟେନ ରୋହିତ ଶର୍ମା ଆଉ ଟେଷ୍ଟ ମ୍ୟାଚ୍ ଖେଳିବେନି। ତାଙ୍କ ବଦଳରେ ଆଉ ଜଣେ ବୋଲରଙ୍କୁ ଟେଷ୍ଟର କ୍ୟାପଟେନ କରାଯାଇପାରେ।
ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ରୋହିତଙ୍କ ଫ୍ୟାନ୍ସ। ସତରେ କ’ଣ ଟେଷ୍ଟ ମ୍ୟାଚ୍ ଖେଳିବେନି। ଆଉ ଯଦି ରୋହିତ ଶର୍ମା ଟେଷ୍ଟ ନ ଖେଳନ୍ତି ତାହାଲେ କିଏ ହେବ ଭାରତୀୟ ଟିମର କ୍ୟାପଟେନ।
ପୂର୍ବ ଟେଷ୍ଟ ମ୍ୟାଚ୍: ଯଦି ଦେଖିବା ପୂର୍ବ ଟେଷ୍ଟରେ ଭାରତୀୟ ଦଳର କିଛି ଭଲ ପ୍ରଦର୍ଶନ ନଥିଲା। ଘରୋଇ ମାଟିରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜଲାଣ୍ଡ ହାତରୁ ୦-୩ରେ ପରାଜୟର ସମ୍ମୁଖୀନ ହୋଇଥିଲା ଟିମ୍ ଇଣ୍ଡିଆ।
ତାପରେ ଅଷ୍ଟ୍ରେଲିଆ ଗସ୍ତରେ ସେମାନଙ୍କୁ ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ରେ ୧-୩ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଗତ ୮ଟି ଟେଷ୍ଟରୁ ୬ଟି ପରାସ୍ତ ହୋଇ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ବି ପହଞ୍ଚି ପାରିଲା ନାହିଁ।
ରୋହିତ ଇଂଲଣ୍ଡ ଗସ୍ତରେ ଯିବେ କି ନାହିଁ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ବିଶେଷ ଭଲ ନଥିଲା। ସେ ୫ଟି ଇନିଂସରେ କେବଳ ୩୧ ରନ କରିପାରିଥିଲେ।
ପରେ ଖରାପ ଫର୍ମ ଯୋଗୁଁ ହିଟମ୍ୟାନ୍ ରୋହିତ ନିଜକୁ ଟେଷ୍ଟରୁ ବାଦ ଦେଇଥିଲେ। ତା’ପରେ ରୋହିତ ରଣଜୀ ଟ୍ରଫିରେ ମୁମ୍ବାଇ ପାଇଁ ଖେଳିଲେ। ଯେଉଁଠାରେ ସେ ଜମ୍ମୁ-କାଶ୍ମୀର ବିପକ୍ଷରେ ଉଭୟ ଇନିଂସରେ ୩୧ ରନ କରିଥିଲେ।
ହେଲେ ଏବେ BCCI ଟେଷ୍ଟ ସିରିଜ୍ ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରୁଥିବାର ସୂଚନା ମିଳିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମାଙ୍କ ପାଇଁ ଟେଷ୍ଟ ଦଳରେ ସ୍ଥାନ ପାଇବା ଏବେ କଷ୍ଟକର ହୋଇପଡ଼ିଛି।
ଜୁନ୍ ମାସରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ଗସ୍ତ ପାଇଁ ରୋହିତ ଶର୍ମାଙ୍କୁ ଚୟନ କରାଯିବାର ସମ୍ଭାବନା କମ୍ ଅଛି। ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ଟେଷ୍ଟରେ ରୋହିତଙ୍କ ଆଶା କମ ଥିବାରୁ ଜସପ୍ରିତ ବୁମରାହଙ୍କୁ ଟେଷ୍ଟର କ୍ୟାପଟେନ କରାଯାଇପାରେ।
ଜସପ୍ରିତ ବୁମରାହ: ଜସପ୍ରିତ ବୁମରାହ ଏପର୍ଯ୍ୟନ୍ତ ତିନୋଟି ଟେଷ୍ଟ ମ୍ୟାଚ୍ ରେ ଭାରତର ଅଧିନାୟକତ୍ୱ କରିଛନ୍ତି। ଯେଉଁଥିରେ ଦଳ ଗୋଟିଏ ଜିତିଛି ଏବଂ ଦୁଇଟିରେ ପରାସ୍ତ ହୋଇଛି। ରୋହିତ ଶର୍ମା କୋଭିଡ୍ ସହିତ ଲଢ଼ୁଥିବା ସମୟରେ ବୁମରାହ ପ୍ରଥମେ ବର୍ମିଂହାମ ଟେଷ୍ଟରେ ଦଳର ଅଧିନାୟକ ହୋଇଥିଲେ।
ଭାରତ ଆୟୋଜକ ଇଂଲଣ୍ଡ ବିପକ୍ଷରେ ସେହି ଟେଷ୍ଟରେ ହାରିଯାଇଥିଲା, କିନ୍ତୁ ବୁମରାହ ଜଣେ ଭଲ ଅଧିନାୟକ ହେବାର ସଙ୍କେତ ଦେଖାଇଥିଲେ। ତା’ପରେ ବୁମରାହ ନଭେମ୍ବର ୨୦୨୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟରେ ଭାରତୀୟ ଦଳକୁ ବିଜୟୀ କରାଇଥିଲେ।
ଗତ ମାସରେ ସିଡନୀ ଟେଷ୍ଟରେ ମଧ୍ୟ ବୁମରାହ ଅଧିନାୟକତ୍ୱ ଗ୍ରହଣ କରିଥିଲେ, ଯେଉଁଥିରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।