fbpx

ଫେବୃଆରୀରେ ଆସିବ ସେରମ ଇନଷ୍ଟିଚ୍ୟୁଟର ସର୍ଭିକାଲ କ୍ୟାନସର ଭ୍ୟାକ୍ସିନ: ଦୁଇଟି ଡୋଜକୁ ୨ ହଜାର ଟଙ୍କା

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ଭାରତରେ ପ୍ରସ୍ତୁତ ସର୍ଭିକାଲ କ୍ୟାନସର ଟିକା ସେରାଭାଭାକ ଚଳିତ ମାସରେ ମାର୍କେଟକୁ ଆସିବ । ଏହି ଟିକାର ଦୁଇଟି ଡୋଜର ଦାମ ୨ ହଜାର ଟଙ୍କା ରହିଥିବା ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି । ଗତ ଜାନୁଆରୀ ମାସ ୨୪ ତରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫାଷ୍ଟ ଇଣ୍ଡିଜେନିଅସ ହ୍ୟୁମାନ ପାପିଲୋମାଭାଇରସ (ଏଚପିଭି) ଭ୍ୟାକ୍ସିନକୁ ଲଞ୍ଚ କରିଥିଲେ । ଏହି ଭ୍ୟାକ୍ସିନ ଲଞ୍ଚ ସମୟରେ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସିଇଓ ଆଦର ପୁନାୱାଲା ଓ ଏହାର ସରକାରୀ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ ଉପସ୍ଥିତ ଥିଲେ ।

ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି, ଶ୍ରୀ ସିଂହ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଥିଲେ । ଘରୋଇ ମାର୍କେଟରେ ଭ୍ୟାକ୍ସିନର ଦୁଇଟି ଡୋଜର ମୂଲ୍ୟ ୨ ହଜାର ଟଙ୍କା ରହିବ, ଯାହାକି ଉପଲବ୍ଧ ଥିବା ଅନ୍ୟ ଏଚପିଭି ଭ୍ୟାକ୍ସିନଠାରୁ କମ୍ ମୂଲ୍ୟ ବୋଲି ସେ ଉଲ୍ଲେଖ କରିଥିଲେ । ଅନେକ ହସ୍ପିଟାଲ, ଡାକ୍ତର ଓ ସଂଘ ସେରମ ଇନଷ୍ଟିଚ୍ୟୁଟର ଏଚପିଭି ଭ୍ୟାକ୍ସିନ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ । ସେଥିପାଇଁ ସେରମ ଇନଷ୍ଟିଚ୍ୟୁଟ ଚଳିତ ମାସ ଠାରୁ ସେରାଭାଭାକ ଭ୍ୟାକ୍ସିନକୁ ଘରୋଇ ମାର୍କେଟକୁ ଛାଡ଼ିବ ।

ଏଥିସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯେତେବେଳେ ଏହାକୁ କ୍ରୟ କରିବାକୁ ଚାହିଁବ ସେତେବେଳେ ଏସଆଇଆଇ ପକ୍ଷରୁ ଏଚପିଭି ଭ୍ୟାକ୍ସିନକୁ ସୁଲଭ ମୂଲ୍ୟରେ ପ୍ରଦାନ କରିବାକୁ ଶ୍ରୀ ସିଂହ ଚିଠିରେ ଉଲ୍ଲେଖ କରିଥିଲେ । ବର୍ତ୍ତମାନ ସମୟରେ ଏଚପିଭି ଭ୍ୟାକ୍ସିନ ପାଇଁ ଦେଶକୁ ସମ୍ପୂର୍ଣ୍ଣ ଭାବେ ବିଦେଶୀ ନିର୍ମାତାଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି ।

ବର୍ତ୍ତମାନ ସମୟରେ ଘରୋଇ ମାର୍କେଟରେ କେବଳ American multinational Merck’s Gardasil ଏଚପିଭି ଭ୍ୟାକ୍ସିନ ଉପଲବ୍ଧ ରହିଛି । ଏହି ଭ୍ୟାକ୍ସିନର ସିଙ୍ଗଲ ଡୋଜର ମୂଲ୍ୟ ୧୦,୮୫୦ ଟଙ୍କା ରହିଛି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ଭିକାଲ କ୍ୟାନସର ବିରୋଧୀ ଏଚପିଭି ଭ୍ୟାକ୍ସିନ ଜାତୀୟ ଇମ୍ୟୁନାଇଜେସନ ପ୍ରୋଗ୍ରାମ ମାଧ୍ୟମରେ ୯ରୁ ୧୪ ବର୍ଷୀୟ ଝିଅଙ୍କ ପାଇଁ ଉପଲବ୍ଧ କରାଇବ । ଏନେଇ ଆସନ୍ତା ଏପ୍ରିଲ ଗ୍ଲୋବାଲ ଟେଣ୍ଡର ଜାରି ହୋଇପାରେ । ତେବେ ନିକଟରେ ଏକ ଆକଳନରୁ ଜଣାପଡ଼ିଛି, ପ୍ରତ୍ୟେକ ବର୍ଷ ଭାରତରେ ୮୦ ହଜାର ମହିଳାଙ୍କ ଠାରେ ସର୍ଭିକାଲ କ୍ୟାନସର ବିକଶିତ ହେଉଥିବା ବେଳେ ୩୫ ହଜାର ଏଥିରେ ମୃତ୍ୟୁବରଣ କରୁଛନ୍ତି ।

Get real time updates directly on you device, subscribe now.