ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ବିଜୟ ଦିବସ ପାଳନ କରିବାକୁ ପ୍ରସ୍ତୁତି ଚଳାଇଛି ରୁଷ। ଉତ୍ସବ ପୂର୍ବରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୧୯୪୫ ପରି ବିଜୟ ଆମର ହେବ ବୋଲି ଦେଶବାସୀଙ୍କୁ ଭରସା ଦେଇଛନ୍ତି। ରୁଷ ଦ୍ଵିତୀୟ ବିଶ୍ଵ ଯୁଦ୍ଧରେ ନାଜି ଜର୍ମାନୀ ଉପରେ ସୋଭିଏତ ସଂଘର ବିଜୟ ସ୍ମୁତିରେ ବିଜୟ ଦିବସ ପାଳି ଆସୁଛି। ମେ ୯ରେ ସୋଭିଏତ ସଂଘ ବିଜୟ ହାସଲ କରିଥିଲା।
ପୁଟିନ୍ କହିଛନ୍ତି, ଆଜି ଆମର ସୈନିକ ପୂର୍ବଜଙ୍କ ପରି କାନ୍ଧରେ କାନ୍ଧ ମିଶାଇ ନିଜ ମାଟିକୁ ନାଜି ଦୁର୍ଗନ୍ଧରୁ ମୁକ୍ତ କରିବା ପାଇଁ ଲଢୁଛନ୍ତି। ଆମର ବିଶ୍ଵାସ ବିଜୟ ଆମର ହିଁ ହେବ। ପୁଟିନ ଫେବୃଆରୀ ୨୪ରେ ୟୁକ୍ରେନ ବିରୋଧରେ ସୈନ୍ୟ କାର୍ୟ୍ୟାନୁଷ୍ଠାନ ଆଦେଶ ଦେଇଥିଲେ। ଏହା ପରେ ଦୁଇ ଦେଶ ମଧ୍ୟରେ ଜାରି ସଂଘର୍ଷ ଦୁଇ ମାସରୁ ଅଧିକ ସମୟ ବିତି ସାରିଛି।
ରୁଷ ସେନା ଦକ୍ଷିଣ ୟୁକ୍ରେନର ବନ୍ଦର ସହର ମାରିଉପୋଲକୁ ସଂପୂର୍ଣ୍ଣ କବଜା କରିବା ପାଇଁ ସୋମବାର ନିଜର ଆକ୍ରମଣ ଜୋରଦାର କରିଛି। ଆକ୍ରମଣକୁ ସେହି ସମୟରେ ଜୋରଦାର କରାଯାଉଛି, ଯେଉଁ ସମୟରେ ରୁଷ ବିଜୟ ଦିବସ ପାଳିବାକୁ ପ୍ରସ୍ତୁତି କରୁଛି।
ମାରିଉପୋଲରେ ସମୁଦ୍ର କୂଳ ସ୍ଥିତ ବିଶାଳ ଇସ୍ପାତ ପ୍ଲାଣ୍ଟ ସହରର ଏକ ମାତ୍ର ଅଂଶ, ଯାହା ଏ ପର୍ୟ୍ୟନ୍ତ ରୁଷ ନିୟନ୍ତ୍ରଣରେ ନାହିଁ। ଯୁଦ୍ଧର ୧୧ମ ସପ୍ତାହରେ ରୁଷ ସେନା ଇସ୍ପାତ ପ୍ଲାଣ୍ଟ ଉପରେ ଆକ୍ରମଣକୁ ଜୋରଦାର କରିଛନ୍ତି। ଏମାନଙ୍କ ମୁକାବିଲା ପାଇଁ ସେଠାରେ ପ୍ରାୟ ୨୦୦୦ ୟୁକ୍ରେନ ସେନା ମୁତୟନ ଅଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ନିକଟରେ ସତର୍କ କରାଇଥିଲେ ଯେ, ରୁଷ ବିଜୟ ଦିବସ ଉପଲକ୍ଷେ ନିଜର ଆକ୍ରମଣକୁ ଆହୁରି ଶାଣିତ କରିପାରେ।
ଅନ୍ୟପଟେ ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମାସ ଗ୍ରୀନଫିଲ୍ଡ କହିଛନ୍ତି, ରୁଷ ପାଖରେ ଉତ୍ସବ ପାଳନ କରିବାକୁ ସେମିତି କୌଣସି କାରଣ ନାହିଁ। ସେ ୟୁକ୍ରେନକୁ ହରାଇବାରେ ସଫଳ ହୋଇ ପାରି ନାହାନ୍ତି। ସେ ଦୁନିଆରେ ନାଟୋ ଦେଶକୁ ବିଭାଜନ କରିବାକୁ ସଫଳ ହେବ ନାହିଁ। ରୁଷ କେବଳ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ଏକ ଘରିଆ କରିବା ଏବଂ ଦୁନିଆରେ ବହିଷ୍କୃତ ଦେଶ ହେବାରେ ସଫଳ ହୋଇଥିବା ଥମାସ କହିଛନ୍ତି।