ଋଷ ବରକୁ ୟୁକ୍ରେନର କନ୍ୟା: ଭାରତରେ କଲେ ବିବାହ, ଯୁଦ୍ଧ ନୁହେଁ ପ୍ରେମର ଦେଲେ ବାର୍ତ୍ତା  

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ମାନେନା କୌଣସି ପ୍ରତିବନ୍ଧକ । ପ୍ରେମ ପାଇଁ କେହି କିଛି ବି କରିପାରେ । କେହି କେତେ ଦୂରରେ ଥାଉ ନା’ କାହିଁକି । ପ୍ରେମର ଶକ୍ତି ତାକୁ ଟାଣି ଆଣିଥାଏ ତା’ର ସାଥୀ ନିକଟକୁ । କିଛି ଏଭଳି ଘଟିଛି ଋଷର ଜଣେ ବର ଏବଂ ୟୁକ୍ରେନର ଜଣେ କନ୍ୟାଙ୍କ ସହ । ଉଭୟ ପରସ୍ପରକୁ ଖୁବ୍ ଭଲ ପାଉଛନ୍ତି । ଆଉ ଏବେ ଉଭୟ ଭାରତ ଆସି ବିବାହ କରିଛନ୍ତି । ଆଉ ଦେଇଛନ୍ତି ପ୍ରେମ ଓ ଶାନ୍ତିର ବାର୍ତ୍ତା ।

ଋଷ ଏବଂ ୟୁକ୍ରେନ ଯୁଦ୍ଧ ଏବେବି ଜାରି ରହିଛି । ଏହାରି ମଧ୍ୟରେ ଋଷର ବର ସର୍ଗେଇ ନୋବିକୋଭ ଏବଂ ୟୁକେନ୍ ର କନ୍ୟା ଅଲୋନା ବର୍ମାକା ଭାରତ ଆସି ବିବାହ କରିଛନ୍ତି ଏବଂ ନିଜ ଦେଶକୁ ପ୍ରେମର ବାର୍ତ୍ତା ଦେଇଛନ୍ତି । ଋଷ ବର ଏବଂ ୟୁକ୍ରେନର କନ୍ୟା ହିମାଚଳପ୍ରଦେଶ ଧର୍ମଶାଳାରେ ନିଜ ବିବାହ କରିଛନ୍ତି  । ଏହି ଅବସରରେ ଦୁଇ ଦେଶକୁ “ଯୁଦ୍ଧ ନୁହେଁ, ପ୍ରେମ କରିବା’ ପାଇଁ କହିଛନ୍ତି ।

ସର୍ଗେଇ କହିଛନ୍ତି ଯେ ଗତ ବର୍ଷ ଭାରତ ଆସିଥିଲେ ଏବଂ ହିନ୍ଦୁ ବିବାହ ତାଙ୍କୁ ପସନ୍ଦ ଆସିଥିଲା । ସେ କହିଛନ୍ତି କେବେ ଋଷ ଏବଂ ୟୁକ୍ରେନ ଭାଇ ଭଳି ଥିଲେ । ଆମକୁ ପରସ୍ପରକୁ ଭଲ ପାଇବା ଜରୁରୀ, ଯୁଦ୍ଧ ନୁହେଁ । ସେହିପରି କନ୍ୟା ଅଲୋନା ବର୍ମାକା କହିଛନ୍ତି ଆମେ ପ୍ରାୟ ୬ ମାସ ତଳେ ଭେଟ ହୋଇଥିଲୁ । ତେଣୁ ଭାରତ ଆସିଥିଲୁ ଏବଂ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ । ଆମକୁ ଭାରତ ଏବଂ ଏହାର ସଂସ୍କୃତି ବେଶ୍ ପସନ୍ଦ । ଯାହା ବହୁତ ସୁନ୍ଦର ଏବଂ ଭଲ ।