ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ପ୍ରତି ଜିଲ୍ଲାରେ ଖୋଲିବ ପରିବା ମଣ୍ଡି, ରହିବେନି ମଧ୍ୟସ୍ଥି, ଉପଯୁକ୍ତ ଦାମରେ ସାମଗ୍ରୀ ବିକ୍ରି କରିବେ ଚାଷୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ରାଜ୍ୟ ସରକାର ଚାଷୀଙ୍କ ଉତ୍ସାହ ବୃଦ୍ଧି ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସସ୍ତ ଜିଲ୍ଲାରେ ପରିବା ମଣ୍ଡି ଖୋଲିବ । ଭୁବନେଶ୍ୱର ଓ କଟକରେ ପ୍ରଥମେ ପରିବା ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ଦ୍ୱାରା ଉତ୍ସାହିତ ସାମଗ୍ରୀକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ତେବେ ଖବର ମୁତାବକ, ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ଭୁବନେଶ୍ୱର ଓ କଟକରେ ଏହି ପରିବା ମଣ୍ଡି ପରୀକ୍ଷାମୂଳକ ଭାବେ ଖୋଲିବ । ଏହାଫଳରେ ଟ୍ୱିନ ସିଟି ସନ୍ନିକଟ ଅଞ୍ଚଳର ଚାଷୀମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଆଣି ସିଧାସଳଖ ଭାବେ ବ୍ୟବସାୟୀଙ୍କୁ ବିକ୍ରି କରିପାରିବେ । ଚାଷୀମାନେ ଯେପରି ବେପାରୀଙ୍କ ଦ୍ୱାରା ଶୋଷିତ ନହେବେ, ସେଥିପାଇଁ ସବୁ ମଣ୍ଡିରେ ପରିବାର ମୂଲ୍ୟ ସୂଚୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ ହେବ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପରିବା ପାଇଁ ଆମେ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛେ । ରାଜ୍ୟର ଚାଷୀଙ୍କୁ ସେମାନଙ୍କର ଉତ୍ପାଦିତ ପରିବାରର ଉପଯୁକ୍ତ ମୂଲ୍ୟ ମିଳୁନାହିଁ । ସେଥିପାଇଁ ଅନେକ ଚାଷୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଫଳରେ ଦିନକୁ ଦିନ ରାଜ୍ୟରେ ଚାଷ ହ୍ରାସ ପାଇବାରେ ଲାଗିଛି । ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ଧାନ ଚାଷୀଙ୍କ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଏମଏସପି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଚାଷୀଙ୍କୁ ସେମାନଙ୍କର ଧାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରାଯିବ । ମଣ୍ଡିକୁ ଚାଷୀମାନ ସେମାନଙ୍କର ପରିବା ନେଇ କରି ଆସିବେ । ସେଥିପାଇଁ କୌଣସି ଦଲାଲ ବା ମଧ୍ୟସ୍ଥିଙ୍କର ହସ୍ତକ୍ଷେପକୁ ବରଦାସ୍ତ କରଯିବ ନାହିଁ । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ବ୍ୟବସାୟୀଙ୍କ ସହିତ ଆଲୋଚନା କରାଯାଇଛି । ମଣ୍ଡି ଦ୍ୱାରା ଦଲାଲି ହ୍ରାସ ପାଇବା ସହ ଚାଷୀ ତା’ ପରିବାର ଉପଯୁକ୍ତ ଦରରେ ବିକ୍ରି କରିପାରିବ ବୋଲି ବହୁ ବ୍ୟବସାୟୀ ମତ ଦେଇଛନ୍ତି ।