fbpx

ବଢ଼ିବ ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା! ବାଚସ୍ପତିଙ୍କୁ ରିପୋର୍ଟ ଦେବ ୧୦ ଜଣିଆ କମିଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଧାୟକମାନେ ପାଇବେ ଅଧିକ ଦରମା ଓ ଭତ୍ତା । ଏଥିସହିତ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ମିଳିବ । ଏ ନେଇ ଗଠିତ କମିଟି ଆସନ୍ତା ୨୪ରେ ହେବାକୁ ଥିବା ଶୀତ ଅଧିବେସନରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ରିପୋର୍ଟ ପ୍ରଦାନ କରିବ । ବର୍ତ୍ତମାନ ରାଜ୍ୟର ବିଧାୟକଙ୍କୁ ମିଳୁଥିବା ଦରମା, ଭତ୍ତାକୁ ଅନୁଧ୍ୟାନ କରିଥିଲା ଉକ୍ତ କମିଟି । ଏହାପରେ ଉକ୍ତ କମିଟି ବିଧାୟକଙ୍କ ଦରମା ବୃଦ୍ଧି ସହିତ ଅନ୍ୟାନ୍ୟ ସୁବିଧା ବୃଦ୍ଧି ନେଇ ମତ ଦେଇଛି ।

ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ପରାମର୍ଶଦାତା କମିଟିର ଚତୁର୍ଥ ବୈଠକ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଥିଲା । ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ସପକ୍ଷରେ କମିଟି ରହିଥିବା ଅମର ମତ ଦେଇଛନ୍ତି । ବୈଠକରେ ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା ସହିତ ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା, ଭତ୍ତାକୁ ସମୀକ୍ଷା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ନେଇ ବିଧାନସଭାରେ ପୂର୍ବରୁ ଏକାଧିକ ବାର ଦାବି କରାଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଏକ କମିଟି ଗଠନ କରିଥିଲେ । ଗତ ଅଗଷ୍ଟ ମାସରେ ମୌସୁମୀ ଅଧିବେସନ ଚାଲିଥିବା ବେଳେ ବିଧାୟକମାନେ ଦରମା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବି ଜଣାଇଥିଲେ । ବିଧାୟକଙ୍କ ଦାବିକୁ ଦୃଷ୍ଟିରେ ରଖି ସେ ସମୟରେ ବାଚସ୍ପତି ୧୦ ଜଣ ବିଧାୟକଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରିଥିଲେ ।

Get real time updates directly on you device, subscribe now.