fbpx

ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ଟିକେଟ ନ ମିଳିବା ନେଇ ଥିଲେ ଅସନ୍ତୁଷ୍ଟ

ଭୁବନେଶ୍ୱର: ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସମୀର ଦାଶ । ସେ ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଟିକେଟ କଟିବା ପରେ ଅସନ୍ତୁଷ୍ଟ ଥିଲେ ନିମାପଡ଼ା ବିଧାୟକ । ତେବେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ବାରମ୍ବାର ଶକ୍ତି ପ୍ରଦର୍ଶନ କରୁଥିଲେ । ନିର୍ବାଚନୀ ସମୟରେ ସମୀରଙ୍କ ଏଭଳି ନିଷ୍ପତ୍ତି ଦଳ ପାଇଁ ବଡ଼ କ୍ଷତି ସାବ୍ୟସ୍ତ ହୋଇପାରେ ।

ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜ ଇସ୍ତଫାର କାରଣ କହିଛନ୍ତି । ବିଜେଡି ନେତା ତାଙ୍କ ଉପରୁ ଆସ୍ଥା ହରାଇଥିବାରୁ ସେ ଇସ୍ତଫା ଦେଇଛନ୍ତି । ୨୦୦୬ରୁ ଦଳରେ ଶୃଙ୍ଖଳିତ ଭାବେ କାର୍ଯ୍ୟ କରି ଆସୁଥିଲେ । ଏହା ସତ୍ତ୍ୱେ ନିମାପଡ଼ା, ଗୋପ ବିଜେଡି ସଙ୍ଗଠନରୁ ଆସ୍ଥା ହରାଇଥିବା କହିଛନ୍ତି ସମୀର । ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍ ନୁହେଁ । ତେଣୁ ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି । ସମୀର ନିମାପଡ଼ାରୁ ବିଜେଡି ଟିକେଟରେ ୩ ଥର(୨୦୦୯, ୨୦୧୪, ୨୦୧୯) ଜିତିଥିଲେ । ଅପରପକ୍ଷରେ ଏଥର ଦିଲିପ ନାୟକଙ୍କୁ ଟିକେଟ ଦେଇଛି ବିଜେଡି ।

Get real time updates directly on you device, subscribe now.