ପୁରୀ: ଦିନକୁ ଦିନ ବାଲି ମାଫିଆଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଏହା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ପୋଲିସର ନାକ ତଳୁ ମାଫିଆମାନେ ବାଲି ଚୋରି କରୁଥିବା ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଦିନ ଆଲୁଅରେ ଚୋରି: ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ବ୍ଲକରେ । ଦିନ ଦିପହରେ ଖୁଲମ୍ ଖୁଲା ଚାଲିଛି ଚୋରା ବାଲି ଓ ପଥର ଚାଲାଣ ।
ଗତ କିଛି ଦିନ ପୂର୍ବରୁ ବେଆଇନ୍ ୧୯ ଟି ପଥର ବୋଝେଇ ଟ୍ରକ୍ ମାଇନ୍ସ ବିଭାଗ ଅଟକ ରଖିଥିବା ବେଳେ ତ୍ରିଲୋଚନପୁର ପଞ୍ଚାୟତ ତ୍ରିଲୋଚନପୁର ଗ୍ରାମ ନଦୀପଠାରୁ ଗତ ରବିବାର ଦିନ ଜେସିବି ମାଧ୍ୟମରେ ସହ ସହ ଟ୍ରିପ ବାଲି ଟ୍ରାକ୍ଟର ମାଧ୍ୟମରେ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା ।
କ୍ଷତି ସହୁଛି ସରକାର: ବାଲି ଚୋରି ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟୁଛି ।
ସ୍ଥାନୀୟ ପ୍ରଶାସନ ଜାଣିଶୁଣି ନୀରବ ରହୁଥିବା ବେଳେ ବାଲି ମାଫିଆଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ବୋଲି ମାଫିଆମାନେ ରାଜସ୍ୱ ବିଭାଗରୁ କୌଣସି ଅନୁମତି ନ ଆଣି ସହ ସହ ଟ୍ରାକ୍ଟର ବାଲି ଚୋରା ଚାଲାଣ କରୁଛନ୍ତି । ଏହା ବନ୍ୟା ସମୟରେ ନଦୀ ବନ୍ଧ ଉପରେ ପ୍ରଭାବ ପକାଉଛି ଓ ଅଞ୍ଚଳବାସୀ ଭୟଭିତରେ ରହୁଛନ୍ତି ।
ସେପଟେ ରଣିପଡ଼ା ରାଜସ୍ୱ ନିରୀକ୍ଷକଙ୍କ ଜାଣତରେ ବାଲି ମାଫିଆମନେ ବାଲି ତାଡ଼ି ନେଉଛନ୍ତି । ଏହିପରି ଭାବରେ ଉଭୟ ବାଲି ମାଫିଆ ଓ ରାଜସ୍ୱ ନିରୀକ୍ଷକ ମାଲାମାଲ ହେଉଥିବା ଅଭିଯୋଗ ହୋଇଛି ।
କାର୍ଯ୍ୟାନୁଷ୍ଠାନ ଦାବି: ଏଭଳି ଘଟଣାକୁ ସରକାର ଦୃଷ୍ଟି ଦେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ବାଲି ଚୋରା ଚାଲାଣ ଘଟଣାକୁ ମାଇନ୍ସ ଓ ସ୍ଥାନୀୟ ଥାନାକୁ ଜଣାଇଥିବା କହିଛନ୍ତି କଣାସ ତହସିଲଦାର ହିଂମାଶୁ ଶେଖର ଗିରି ।
ହେଲେ କଣାସ ଅଞ୍ଚଳରେ କେବେ ଚୋରା ବାଲି ଓ ପଥର ଚାଲାଣ ଉପରେ ପ୍ରଶାସନ ରୋକ୍ ଲାଗୁଛି ତାହା ଦେଖିବାକୁ ବାକି ରହିଲା ।