ଡିସେମ୍ବର ୧୫ରୁ କାର୍ଯ୍ୟକାରୀ ହେବ SBIର ନୂଆ ସୁଧ ନିୟମ: ଲକ୍ଷ ଲକ୍ଷ ଗ୍ରାହକଙ୍କ ଲୋନର EMI ଉପରେ ପଡ଼ିବ ସିଧାସଳଖ ପ୍ରଭାବ
ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ଠାରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ନୂଆ ନିୟମ ଲାଗୁ ହେବ । ୨୦୨୪ ମସିହା ଡିସେମ୍ବର ୧୫ ଠାରୁ ୨୦୨୫ ମସିହା ଜାନୁଆରୀ ୧୫ ଅବଧି ପାଇଁ ଏସବିଆଇ ନିଜର ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡସ ବେସଡ ଲେଣ୍ଡିଂ ରେଟସ (ଏମସିଏଲଆର) ଘୋଷଣା କରିଛି । ନୂଆ ଦର ଡିସେମ୍ବର ୧୫ ଠାରୁ ଲାଗୁ ହେବ । ଏପରି ସ୍ଥିତିରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିପାରେ । ଏସବିଆଇ ସମସ୍ତ ଅବଧି ପାଇଁ ଏମସିଏଲଆର ଦର ସ୍ଥିର ରଖିଛି । ତେବେ ବ୍ୟାଙ୍କର ଏହି ନିଷ୍ପତ୍ତି ହୋମ ଲୋନ, ପର୍ସନାଲ ଲୋନ ଓ ଅନ୍ୟ ଲୋନ ଦରକୁ ପ୍ରଭାବିତ କରିପାରେ ।
ଏସବିଆଇ ନିଜର ଓଭରନାଇଟ୍ ଓ ଏକ ମାସର ଏମସିଏଲଆର ୮.୨୦ ପ୍ରତିଶତରେ ବଳବତ୍ତର ରଖିଛି । ୩ ମାସ ପାଇଁ ଏମସିଏଲଆର ୮.୫୫ ପ୍ରତିଶତ ଓ ୬ ମାସ ପାଇଁ ଏମସିଏଲଆର ୮.୯୦ ପ୍ରତିଶତ ରହିଛି । ସେହିପରି ୧ ବର୍ଷ ପାଇଁ ଏମସିଏଲଆରକୁ ୯ ପ୍ରତିଶତ ରଖାଯାଇଛି, ଯାହାକି ସାଧାରଣ ଭାବେ ଅଟୋ ଲୋନ୍ ପାଇଁ ଲାଗୁ ହୋଇଥାଏ । ଦୁଇ ଓ ତିନି ବର୍ଷର ଏମସିଏଲଆର ଯଥାକ୍ରମେ ୮.୦୫ ପ୍ରତିଶତ ଓ ୯.୧୦ ପ୍ରତିଶତରେ ସ୍ଥିର ରଖାଯାଇଛି । ସୂଚନାଯୋଗ୍ୟ ଯେ, ଏମସିଏଲଆର ସେହି ସେହି ସର୍ବନିମ୍ନ ଦର ଯାହା ଉପରେ ବ୍ୟାଙ୍କ ଲୋନ୍ ପ୍ରଦାନ କରିଥାଏ । ଏହି ଦର ଲୋନର ସୁଧର ଗଣନା ଆଧାରରେ ହୋଇଥାଏ । ଏହାଛଡ଼ା ଏସବିଆଇ ନିଜର ବେସ ରେଟ ଓ ବେଞ୍ଚମାର୍କ କ୍ରାଇମ ଲେଣ୍ଡିଂ ରେଟ (ବିପିଏଲଆର)ରେ ମଧ୍ୟ ପରିବର୍ତ୍ତନ କରିଛି । ଚଳିତ ବର୍ଷ ଡିସେମ୍ବର ୧୫ରୁ ଏସବିଆଇର ବେସ ରେଟ ୧୦.୪୦ ପ୍ରତିଶତ ଓ ବିପିଏଲଅର ୧୫.୧୫ ପ୍ରତିଶତ ପ୍ରତି ବର୍ଷ ପ୍ରଭାବୀ ରହିବ । ଏସବିଆଇର ହୋମ ଲୋନର ସୁଧ ହାର ଉଧାରକାରୀଙ୍କ ସିବିଲ ସ୍କୋର ଉପରେ ନିର୍ଭର କରିଥାଏ । ଏସବିଆଇର ଏହି ପଦକ୍ଷେପ ଫଳରେ ଗ୍ରାହକଙ୍କ ପର୍ସନାଲ ଓ ହୋମ୍ ଲୋନ୍ ଉପରେ ପ୍ରଭାବ ପଡ଼ିପାରେ ।