ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ସିବିଆଇର ଆବେଦନ ଖାରଜ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଏବଂ ପିତାମାତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବାକୁ ସିବିଆଇ, ମହାରାଷ୍ଟ୍ର ସରକାର ଏବଂ ଇମିଗ୍ରେସନ ବ୍ୟୁରୋ ପକ୍ଷରୁ ଦାୟର କରାଯାଇଥିବା ଆବେଦନକୁ ଶୁକ୍ରବାର ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି ।

ବାସ୍ତବରେ ବମ୍ବେ ହାଇକୋର୍ଟ ଏହି ୪ ଜଣଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍ ଆଉଟ୍ ସର୍କୁଲାରକୁ ରଦ୍ଦ କରିଥିଲେ । ହାଇକୋର୍ଟଙ୍କ ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ, ବାପା (ପୂର୍ବତନ ସେନା) ଏବଂ ମା’ (ଆର୍ମି ସ୍କୁଲ୍ ଟିଚର)ଙ୍କ ବିରୋଧରେ ୨୦୨୦ ମସିହାରେ ଏହି ସର୍କୁଲାର ଜାରି କରାଯାଇଥିଲା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ତଦନ୍ତ ପାଇଁ ତାଙ୍କ ପରିବାର ପାଟନାରେ ଏତଲା ଦେଇଥିଲେ । ଏହାପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।

ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ଆବେଦନ ଗମ୍ଭୀର ନୁହେଁ ଏବଂ କେବଳ ଅଭିଯୁକ୍ତମାନେ ହାଇପ୍ରୋଫାଇଲ ପୃଷ୍ଠଭୂମିରୁ ଆସିଥିବାରୁ ଦାଖଲ କରାଯାଇଛି ।