ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ କେତେକ ପ୍ରଶ୍ନ ଉଠାଇଛନ୍ତି। କମିସନଙ୍କ ୬ ବର୍ଷର କାର୍ଯ୍ୟକାଳ ପୂରଣ ହେଉନଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ବୁଧବାର ଶୁଣାଣି ସମୟରେ ଅଦାଲତ କହିଥିଲେ ୨୦୦୪ ପରଠୁ ଏ ପର୍ଯ୍ୟନ୍ତ କୌଣସି ବି ଜଣେ ମୁଖ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟକାଳ କାହିଁକି ପୂରା ହୋଇ ନାହିଁ। ବିଗତ ୨୬ ବର୍ଷରେ ୧୫ ମୁଖ୍ୟ ନିର୍ବାଚନ କମିସନ ନିଯୁକ୍ତି ହୋଇଛନ୍ତି। ତେବେ ଏହା ମଧ୍ୟରେ ଆଉ ଏକ ତଥ୍ୟ ବି ସାମ୍ନାକୁ ଆସିଛି। ତାହା ହେଉଛି ଖୋଦ୍ ସୁପ୍ରିମକୋର୍ଟରେ ଗତ ୨୪ ବର୍ଷରେ ୨୨ ପ୍ରଧାନ ବିଚାରପତି ନିଯୁକ୍ତ ହୋଇଛନ୍ତି।
ଏହା ପୂର୍ବରୁ ୪୮ ବର୍ଷରେ ୨୪ ଜଣ ପ୍ରଧାନ ବିଚାରପତି ରହିଥିଲେ। ୧୯୯୮ ଜାନୁଆରୀରେ ଜଷ୍ଟିସ ଏମଏମ ପୁଞ୍ଛୀଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ଏବଂ ସେ ଏହି ପଦରେ ନଅ ମାସ ରହିଥିଲେ।ତାଙ୍କ ପରେ ୧୯୯୮ରେ ଅକ୍ଟୋବରରେ ଜଷ୍ଟିସ ଏ ଏସ ଆନନ୍ଦ ପ୍ରଧାନ ବିଚାରପତି ଦାୟିତ୍ଵ ଗ୍ରହଣ କରିଥିଲେ। ଆନନ୍ଦଙ୍କ କାର୍ଯ୍ୟକାଳ ତିନି ବର୍ଷ ରହିଥିଲା। ତାଙ୍କ ପରେ ଜଷ୍ଟିସ ଏସ ପି ଭରୁଚା ଛଅ ମାସ ପାଇଁ ପ୍ରଧାନ ବିଚାରପତି ପଦରେ କାର୍ଯ୍ୟ କରିଥିଲେ। ତାଙ୍କୁ ୨୦୦୧ ନଭେମ୍ବରରେ ଦାୟିତ୍ଵ ମିଳିଥିଲା ଏବଂ ୨୦୦୨ ମେ ରେ ସେ ଅବସର ଗ୍ରହଣ କରିଥିଲେ। ଏହି କ୍ରମରେ ଜଷ୍ଟିସ ବି ଏନ କୃପାଲଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ସେ ବି ସାତ ମାସ ପଦରେ ରହି ୨୦୦୨ ଡିସେମ୍ବର ୧୮ରେ ଅବସର ନେଇଥିଲେ। କେବଳ ଏତିକି ନୁହେଁ ଜଷ୍ଟିସ ଜିବି ପଟ୍ଟନାୟକଙ୍କ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟକାଳ ମାତ୍ର ଗୋଟିଏ ମାସ ଥିଲା। ସେ ୨୦୦୨ ନଭେମ୍ବରରେ ପ୍ରଧାନ ବିଚାରପତି ପଦ ଗ୍ରହଣ କଲେ ଏବଂ ଡିସେମ୍ବରରେ ଅବସର ଗ୍ରହଣ କରିଥିଲେ।
୭୫ ବର୍ଷରେ ୫୦ ପ୍ରଧାନ ବିଚାରପତି, ହାରାହାରି ଦେଢ ବର୍ଷ କାର୍ଯ୍ୟକାଳ
ଦେଶ ସ୍ଵାଧୀନ ହେବା ପରଠୁ ଏ ପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟରେ ମୋଟ୍ ୫୦ ପ୍ରଧାନ ବିଚାରପତି ନିଯୁକ୍ତି ହୋଇ ସାରିଲେଣି। ଏହି ପରି ଦେଖିବାକୁ ଗଲେ ୭୫ ବର୍ଷର ଅବଧିରେ ସୁପ୍ରିମକୋର୍ଟର ଜଣେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ହାରାହାରି ଦେଢ ବର୍ଷ ରହିଛି। ଏହା ମଧ୍ୟରେ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଏହି ପାଞ୍ଚ ବର୍ଷରେ ସୁପ୍ରିମକୋର୍ଟରେ ଛଅ ପ୍ରଧାନ ବିଚାରପତି କାମ କରି ସାରିଲେଣି। ବର୍ତ୍ତମାନ ଡିଓ୍ଵାଇ ଚନ୍ଦ୍ରଚୂଡ ଦେଶର ପ୍ରଧାନ ବିଚାରପତି ଅଛନ୍ତି। ସୁପ୍ରିମକୋର୍ଟରେ ଜଜଙ୍କ ନିଯୁକ୍ତି ଦେଉଥିବା ଚାରି ବରିଷ୍ଠତମ ଜଜଙ୍କ କଲେଜିୟମ ୧୯୯୮ରୁ ଅଦ୍ୟାବଧି ୧୧୧ ଜଜଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଦେଇଛନ୍ତି।
ସୁପ୍ରିମକୋର୍ଟର କଲେଜିୟମ ଉପରେ ବି ଉଠିଛି ପ୍ରଶ୍ନ
ସୂଚନାଯୋଗ୍ୟ, ଏହା ପୂର୍ବରୁ ଅନେକ ଥର ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ଉପରେ ମଧ୍ୟ କେନ୍ଦ୍ର ସରକାର ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟର ମହିଳା ଜଜ ଜଷ୍ଟିସ ରୂମା ପାଲ ମଧ୍ୟ ଏହି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଏହା ଏମିତି ଏକ ବ୍ୟବସ୍ଥା ଯେଉଁଠି ତୁମେ ମୋର ପିଠି କୁଣ୍ଡେଇ ଦେବ ଏବଂ ମୁଁ ବି ତୁମର କୁଣ୍ଡେଇ ଦେବି। କଲେଜିୟମ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସରକାର ମଧ୍ୟରେ ଏବେ ମଧ୍ୟ ବିବାଦ ଜାରି ରହିଛି।