fbpx

ମସ୍ତିଷ୍କରେ ଲୁଚି ରହିଛି ପୁରୁଣା ଭୟଙ୍କର ସ୍ମୃତି: ଶାରୀରିକ ଓ ମାନସିକ ରୋଗର ସାଜୁଛି କାରଣ, ବୈଜ୍ଞାନିକଙ୍କ ବଡ଼ ସନ୍ଧାନ

ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକ ଦୁର୍ଲ୍ଲଭ ତଥା ବିରଳ ଜୀବ । ମଣିଷକୁ ନେଇ ବୈଜ୍ଞାନିକମାନେ ସର୍ବଦା ଗବେଷଣା ଜାରି ରଖିଥିବା ବେଳେ ଅନେକ ସମୟରେ ଏନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ନିକଟରେ ମଣିଷର ମସ୍ତିଷ୍କକୁ ନେଇ ଏକ ବଡ଼ ସନ୍ଧାନ କରିଛନ୍ତି । ମଣିଷର ବ୍ରେନର ଏକ ଅଂଶରେ ପୁରୁଣା ଭୟଙ୍କର ସ୍ମୃତି ଲୁଚି କରି ରହିଥାଏ । ବେଳେବେଳେ ତାହା ବାହାରକୁ ଆସିଥାଏ । ଫଳରେ ତାହା ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ବିଗିଡ଼ିବାର କାରଣ ସାଜିଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

ବେଳେ ବେଳେ ଆମେ କିଛି ଖରାପ ଘଟଣା, ଦୁର୍ଘଟଣାକୁ ନେଇ ବର୍ଷ ବର୍ଷ ଧରି ଚିନ୍ତିତ ରହିଥାଉ । କାରଣ ଉକ୍ତ ଘଟଣାର ଭୟାବହତା ସ୍ମୃତି ଆମର ବ୍ରେନର ଏକ ଭାଗରେ ଲୁକ୍କାୟିତ ଭାବେ ରହିଥାଏ । ଅନେକ ସମୟରେ ତାହା ବାହାରକୁ ଆସିଥାଏ । ଯାହାଫଳରେ ଆମର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥାଏ । ପୋଷ୍ଟ ଟ୍ରାଉମେଟିକ ଷ୍ଟ୍ରେସ ଡିଜଅର୍ଡର (ପିଟିଏସଡି) କାରଣରୁ ଏପରି ସ୍ଥିତି ଦେଖିବାକୁ ମିଳିଥାଏ ।

ବାସ୍ତବରେ ବ୍ରେନର ହିପୋକ୍ୟାମ୍ପସ ଅଞ୍ଚଳରେ ସମସ୍ତ ସ୍ମୃତି ତିଆରି ହୋଇଥାଏ । ତେବେ ଡରାଇବା ଭଳି ସ୍ମୃତି ବ୍ରେନର କେଉଁ ସ୍ଥାନରେ ଷ୍ଟୋର ହେଉଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଏହା ବାରମ୍ବାର ସୁଯୋଗ ଦେଖି ବାହାରକୁ ଚାଲିଆସିଥାଏ । ବ୍ରେନର କେଉଁ ସ୍ଥାନରେ ଏହି ସ୍ମୃତି ରହୁଛି ସେ ବାବଦରେ ନିକଟରେ ଆମେରିକାର ୟୁନିଭରସିଟି ଅଫ୍ କାଲିଫର୍ଣ୍ଣିଆର ବୈଜ୍ଞାନିକଙ୍କ ପକ୍ଷରୁ କରାଯାଇଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ।

ଏକଥା ଆପଣମାନେ ହୁଏତ ଜାଣିନଥିବେ, ଖରାପ ସ୍ମୃତି ଆମର ବ୍ରେନରେ ମୁଖ୍ୟ ଭାଗରେ ନିଜର ଘର ବନାଇଥାଏ । ଏହି ସମସ୍ତ ଖରାପ ସ୍ମୃତିଗୁଡ଼ିକ ପରସ୍ପର ସହ ଏକ ଜାଲରେ ଗୁନ୍ଥି ହୋଇ ରହିଥାନ୍ତି । ଗୋଟିଏ ବାହାରକୁ ଆସିଲେ ଅନ୍ୟମାନେ ବାହାରକୁ ଚାଲି ଆସିଥାନ୍ତି । ଏହାର ଚିକିତ୍ସା କିପରି କରାଯିବ ସେନେଇ ବୈଜ୍ଞାନିକମାନେ ପ୍ରୟାସ ଜାରି ରଖିଛନ୍ତି । ସେଥିପାଇଁ ଏକ ମୂଷାର ବ୍ରେନକୁ ପରୀକ୍ଷା କରାଯାଇଥିଲା । ମଣିଷର ବ୍ରେନର ଯେଉଁ ଅଂଶ ନିଷ୍ପତ୍ତି ଗ୍ରହଣ କରିଥାଏ, ସେଠାରେ ଏହି ସ୍ମୃତି ଲୁଚି କରି ରହିଥିବା ଜଣାପଡ଼ିଥିଲା । ନିଷ୍ପତ୍ତି ନେଉଥିବା ଅଂଶକୁ ପ୍ରି-ଫ୍ରଣ୍ଟଲ କାର୍ଟିକ୍ସ କହନ୍ତି । ଆମେରିକାର ଜନସଂଖ୍ୟାର ୬ ପ୍ରତିଶତ ଲୋକ ପିଟିଏସଡିର ଶିକାର ହୋଇଥିବା ବେଳେ ଏହି ରିସର୍ଚ୍ଚ ଦ୍ୱାରା ଅଲଗା ଅଲଗା ମଣିଷର ଡର ଓ ପୁରୁଣା ସ୍ମୃତିକୁ ଠିକ୍ କରିବା ନେଇ ସହାୟତା ମିଳିପାରିବ ।

Get real time updates directly on you device, subscribe now.