ଡବ୍ଲ୍ୟୁଟିସିର ଦ୍ଵିତୀୟ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଜାରି, ଜାଣନ୍ତୁ କେଉଁ କେଉଁ ଦଳ ସହିତ ମୁକାବିଲା କରିବ ଭାରତ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳ ନିଜର ଦମଦାର ପ୍ରଦର୍ଶନ ଦମରେ ଆଇସିସି ବିଶ୍ଵ ଟେଷ୍ଟ ଚମ୍ପିଆନସିପର ପ୍ରଥମ ସଂସ୍କରଣରେ ଦୁଇ ବର୍ଷ ପର୍ଯ୍ୟନ୍ତ ପଏଣ୍ଟ ତାଲିକାରେ ନିଜର ଦବଦବା ବଜାୟ ରଖିଥିଲା। ହେଲେ ଫାଇନାଲ ମ୍ୟାଚରେ ଝୁଣ୍ଟିଥିଲା ଭାରତୀୟ ଦଳ। ନ୍ୟୁଜିଲାଣ୍ଡ ହାତରୁ ଦଳକୁ ୮ ଓ୍ଵିକେଟରେ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡିଲା। ହେଲେ ଭାରତୀୟ ଦଳ ଡବ୍ଲ୍ୟଟିସିର ପ୍ରଥମ ଫାଇନାଲ୍ ପରାଜୟକୁ ଭୁଲି ଏବେ ଦ୍ଵିତୀୟ ସଂସ୍କରଣ ଉପରେ ଧ୍ୟାନ ଦେବ। ଆଇସିସି ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଦ୍ଵିତୀୟ ସଂସ୍କରଣର କାର୍ଯ୍ୟସୂଚୀ ଜାରି କରିଛି। ଏହି ଆଧାରରେ ୨୦୨୧ ଜୁଲାଇ ରୁ ୨୦୨୩ ପର୍ଯ୍ୟନ୍ତ ଦଳଗୁଡିକ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବ। ଏହି ସମୟରେ ଭାରତ କେଉଁ କେଉଁ ଦଳ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ, କେତୋଟି ସିରିଜ୍ ଘରୋଇ ପଡିଆରେ ଏବଂ କେତୋଟି ସିରିଜ୍ ବିଦେଶରେ ଖେଳିବ ତାର କାର୍ଯ୍ୟସୂଚୀ ଜାରି ହୋଇଛି।

ଭାରତର  ୨୦୨୧-୨୦୨୩ କ୍ରୀଡାସୂଚୀ ଅନୁଯାୟୀ, ଡବ୍ଲ୍ୟୁଟିସିର ଦ୍ଵିତୀୟ ସଂସ୍କରଣରେ ଭାରତୀୟ ଦଳ ଛଅଟି ଟେଷ୍ଟ ଶୃଙ୍ଖଳା ଖେଳିବ। ଏଥିରୁ ତିନୋଟି ସିରିଜ୍ ଦଳ ନିଜ ଘରେ ଏବଂ ବାକି ତିନୋଟି ବିଦେଶରେ ଖେଳିବ। ଭାରତୀୟ ଦଳ  ଅଗଷ୍ଟ ୪ରେ ଇଂଲଣ୍ଡ ଗସ୍ତରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ଡବ୍ଲ୍ୟୁଟିସିର ଦ୍ଵିତୀୟ ସଂସ୍କରଣର ଅଭିଯାନ ଆରମ୍ଭ କରିବ। ଇଂଲଣ୍ଡ ଗସ୍ତ ପରେ ଦଳ ନଭେମ୍ବରରେ ଦୁଇ ମ୍ୟାଚର  ଟେଷ୍ଟ ସିରିଜ୍ ଘରୋଇ ପଡିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ଏହି ସିରିଜରେ ଭାରତ ଡବ୍ଲ୍ୟୁଟିସି ଫାଇନାଲରେ ମିଳିଥିବା ପରାଜୟର ହିସାବ ବରାବର କରିବାର ସୁଯୋଗ ମିଳିବ।

ଏହା ପରେ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ସିରିଜ ୨୦୨୧ ଡିସେମ୍ବରରୁ ୨୦୨୨ ଜାନୁଆରୀ ପର୍ଯ୍ୟନ୍ତ ଖେଳାଯିବ। ପୁଣି ଶ୍ରୀଲଙ୍କା ଭାରତ ଗସ୍ତରେ ଆସିବ। ଦୁଇ ଦଳ ମଧ୍ୟରେ ତିନି ମ୍ୟାଚର ଟେଷ୍ଟ ସିରିଜ ଖେଳାଯିବ। ଏହା ଡବ୍ଲ୍ୟୁଟିସିର ଦ୍ଵିତୀୟ ସଂସ୍କରଣରେ ଭାରତୀୟ ଦଳର ଦ୍ଵିତୀୟ ଘରୋଇ ସିରିଜ ହେବ।

ଭାରତୀୟ ଦଳ ଏହା ପରେ ତୃତୀୟ ଘରୋଇ ସିରିଜ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଦୁଇ ଦଳ ମଧ୍ୟରେ ଚାରି ମ୍ୟାଚର ଟେଷ୍ଟ ସିରିଜ୍ ଖେଳାଯିବ, ଯାହା ବର୍ଡର-ଗାଭାସ୍କର ଟ୍ରଫି ଭାବେ ପରିଚିତ। ଭାରତ ଅଷ୍ଟ୍ରେଲିଆରେ ଆୟୋଜିତ ଗତ ଦୁଇ ବର୍ଡର-ଗାଭାସ୍କର ଟ୍ରଫିରେ  ବିଜୟୀ ହୋଇଛି। ଏହି ସିରିଜ୍ ପରେ ଭାରତ ଦୁଇ ମ୍ୟାଚର ଟେଷ୍ଟ ସିରିଜ୍ ପାଇଁ ବାଂଲାଦେଶ ଗସ୍ତ କରିବ।