fbpx

ସ୍କୁଲ ଖୋଲିବା ନିଷ୍ପତ୍ତି ୧୪ରେ ନିଆଯିବ

ନୂଆଦିଲ୍ଲୀ, ୫ା୪: ଦେଶରେ କରୋନା ଭାଇରସ ସଂକ୍ରମଣର ସ୍ଥିତି ମୁକାବିଲା ପାଇଁ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି । ଏହି ଲକ୍ଡାଉନ୍ ପାଇଁ ସମଗ୍ର ଦେଶର ସ୍କୁଲ, କଲେଜ୍ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ଲକ୍ଡାଉନ୍ ଅବଧି ସମାପ୍ତ ହେବା ପରେ ଏହି ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ଖୋଲାଯିବା ସମ୍ପର୍କରେ ନିଷ୍ପତ୍ତିି ନିଆଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ରବିବାର ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନିରାପତ୍ତାକୁ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଛନ୍ତି । ତେଣୁ ଦେଶରେ କରୋନା ଭାଇରସ୍ ସଂକ୍ରମଣର ସ୍ଥିତି ଯାଞ୍ଚ ପରେ ଏସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଚଳିତ ମାସ ୧୪ ତାରିଖ ପରେ ମଧ୍ୟ ସ୍କୁଲ, କଲେଜ୍ଗୁଡ଼ିକ ବନ୍ଦ ରହିଲେ ମଧ୍ୟ କିପରି ଏକାଡେମିକ୍ ସେସନ୍କୁ କ୍ଷତି ପହଞ୍ଚିବ ନାହିଁ ସେ ଦିଗରେ ସରକାର ଚିନ୍ତା କରୁଛନ୍ତି । ଲକ୍ଡାଉନ୍ ହଟିବା ମାତ୍ରେ ସମସ୍ତ ପରୀକ୍ଷା ଓ ମୂଲ୍ୟାୟନ ସାରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଶ୍ରୀ ପୋଖରିଆଲ୍ କହିଛନ୍ତି । ପ୍ରକାଶଯୋଗ୍ୟ, ସାରା ଦେଶରେ ଜାରି ହୋଇଥିବା ଲକ୍ଡାଉନ୍ ଚଳିତ ମାସ ୧୪ ତାରିଖରେ ସମାପ୍ତ ହେବାକୁ ଯାଉଛି । ଏହାପରେ ଲକ୍ଡାଉନ୍ ଅବଧି ବୃଦ୍ଧି ନକରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।

Get real time updates directly on you device, subscribe now.