ସୁନ୍ଦରଗଡ଼ : ଚିନ୍ତାରେ ସୁନ୍ଦରଗଡ଼ ବାସୀ । ଦିନକୁ ଦିନ କାୟା ବିସ୍ତାର କରୁଛି ସ୍କ୍ରବ ଟାଇଫସ । ଗତ କାଲି ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ୪୭ଟି ନମୁନାରେ ୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫ରେ ପହଁଞ୍ଚିଲାଣି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ଟାଇଫସ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଚିନ୍ତାର କାରଣ ସାଜୁଛି ।
ଏହା କେବଳ ସୁନ୍ଦରଗଡ଼ ଜିଲ୍ଲାରେ ନୁହେଁ ଏହା ବରଗଡ ଏବଂ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଆତଙ୍କ ଜନିତ ପରିସ୍ଥିତି ସୃଷ୍ଟି କରିଛି । ସୂଚନା ମିଳିଛି ଯେ ସ୍କ୍ରବ ଟାଇଫସ ସଂକ୍ରମଣ ସୁନ୍ଦରଗଡ ଓ ବରଗଡ଼ ଜିଲ୍ଲାରେ ବହୁଳ ପରିମାନରେ ବୃଦ୍ଧି ପାଉଛି । ଏନେଇ ରୋଗର ନିରାକରଣ ପାଇଁ ଏହି ଦୁଇଟି ଜିଲ୍ଲାକୁ ସ୍ୱତନ୍ତ୍ର ଟିମ ପଠାଯାଇଛି ।
ସାଧାରଣତଃ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ଦେଖିବାକୁ ମିଳିଥାଏ । ଏହି ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୀଷଣ ଜ୍ୱର ହେବା ସହ ମୁଣ୍ଡ ବୁଲାଇବା ଓ ମାଂସପେଶୀ ଦରଜ ହୋଇଥାଏ । ପୋକ କାମୁଡିଥିବା ସ୍ଥାନ କୁଣ୍ଡେଇ ହେବା ସହ କିଛି ସମୟ ପରେ କଳା ପଡିଯାଏ । ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଠିକ୍ ସମୟରେ ପରୀକ୍ଷା କରି ଚିକିତ୍ସା କରାଇଲେ ରୋଗୀଙ୍କ ଜୀବନ ବିପଦମୁକ୍ତ ହୋଇଥାଏ ବୋଲି ଡାକ୍ତର କହିଛନ୍ତି ।