ଜିଲ୍ଲାପାଳଙ୍କ ପରେ SDM ସସପେଣ୍ଡ: ଗାଡ଼ି ସାଇଡ୍ ନ ଦେବାରୁ ପ୍ରବଳ ପିଟିଥିଲେ, ତ୍ୱରିତ ଆକ୍ସନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ପୁଣି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବରୁ ଏକ ମାମଲାରେ ଜଣେ ଜିଲ୍ଲାପାଳଙ୍କୁ ସସପେଣ୍ଡ କରିଥିବା ବେଳେ ଏବେ ଜଣେ ଏସଡିଏମଙ୍କୁ ସସପେଣ୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଜଣ ଯୁବକଙ୍କୁ ପିଟିବା ଘଟଣାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ଭାବେ ନିନ୍ଦା କରିବା ସହ ଏପରି ଅମାନବୀୟ ବ୍ୟବହାରକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି । ଏଫଆଇଆରର କାର୍ଯ୍ୟାନୁଷ୍ଠାନ ପରେ ସିଏମ୍ ଏସଡିଏମଙ୍କ ସସପେଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ, ରାଜ୍ୟର ଉମରିୟା ଜିଲ୍ଲାରେ ଏହି ଘଟଣା ଘଟିଥିଲା । ଗାଡ଼ି ସାଇଡ୍ ନ ଦେବାରୁ ଏସଡିଏମ କ୍ରୋଧିତ ହେବା ସହିତ କାରରେ ବସିଥିବା ଦୁଇଜଣ ଯୁବକଙ୍କୁ ପ୍ରବଳ ପିଟିଥିଲେ । ଉକ୍ତ ଘଟଣାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ବାନ୍ଧବଗଡ଼ ଏସଡିଏମ୍ ଅମିତ ସିଂହ, ତହସିଲଦାର ବିନୋଦ କୁମାର ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଭିଡିଓରେ ଦେଖାଯାଇଥିଲା । ଯୁବକଙ୍କୁ ଏସଡିଏମ୍ ଏତେ ଜୋରରେ ପିଟିଥିଲେ ଯେ ଜଣେ ଯୁବକ ପୋଲିସକୁ ବୟାନ ବି ଦେଇପାରିନଥିଲେ ।
ଯୁବକଙ୍କ ବୟାନ ଆଧାରରେ ଏସଡିଏମ, ତହସିଲଦାର ଓ ଅନ୍ୟ ଦୁଇଜଣଙ୍କ ବିରୋଧରେ ଧାରା ୩୪୧, ୩୨୩, ୨୯୪ରେ ଅପରାଧିକ ମାମଲା ଦାୟର କରାଯାଇଛି । ଏସଡିଏମଙ୍କୁ ତ୍ୱରିତ ଭାବେ ପଦରୁ ହଟାଯାଇଥିବା ବେଳେ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲପାଳ କହିଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ମାସ ପ୍ରଥମ ସପ୍ତାହରେ ମଧ୍ୟ ଜଣେ ଆଇଏଏସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ପଦରୁ ହଟାଇଥିଲେ । ଡ୍ରାଇଭରଙ୍କୁ ଔକାତ ପଚାରିବା ମାମଲାରେ ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।