୫ ଦିନିଆ ରିମାଣ୍ଡରେ ରସିକ ଡାକ୍ତରଙ୍କ ଦ୍ୱିତୀୟ ସ୍ତ୍ରୀ: ଆକାଉଣ୍ଟକୁ ହୋଇଥିଲା ପଇସା ଟ୍ରାନ୍ସଫର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ। ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ କମଳା ସ୍ୱାଇଁଙ୍କୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେବ। ଏନେଇ ଭୁବନେଶ୍ୱର ଏସଡିଜେଏମ ଅନୁମତି ଦେଇଛନ୍ତି।

କମଳା ସ୍ୱାଇଁଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ ହୋଇଥିଲା। ତେବେ କୋର୍ଟ କେବଳ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଅନ୍ୟପଟେ ରମେଶକୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଇ ନାହାନ୍ତି କୋର୍ଟ। ରମେଶଙ୍କ ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି।

ସୋମବାର ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା କମିଶନରେଟ୍ ପୁଲିସ ଟିମ୍। ରମେଶଙ୍କ କାରନାମା ପ୍ରଘଟ ପରଠୁ ଗୁଜରାଟର ଜାମନଗରରେ କାର୍ୟ୍ୟରତ ଥିବା କମଳା ଫେରାର ଥିଲେ । ରାଜ୍ୟରେ ତଥା ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିବା ପୁଲିସ୍ ଶେଷରେ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। କମଳା ସ୍ୱାଇଁ ରମେଶଙ୍କ ଅର୍ଥ କାରବାର ବୁଝୁଥିଲେ।