fbpx

୫୦୦ କୋଟି ଟଙ୍କା ଦିଅ ; ନହେଲେ ମୋଦୀଙ୍କୁ ଉଡାଇବା ସହ ମୋଦୀ କ୍ରିକେଟ ଷ୍ଟାଡିୟମକୁ ବି ଉଡାଇଦେବୁ….

ନୂଆଦିଲ୍ଲୀ : ମୋଦୀଙ୍କୁ ଉଡାଇବା ସହ ମୋଦୀ କ୍ରିକେଟ ଷ୍ଟାଡିୟମକୁ ବି ଉଡାଇଦେବୁ । ୫୦୦ କୋଟି ଟଙ୍କା ଦିଅ ଆଉ ଜେଲରେ ଥିବା ଲରେନ୍ସ ବିଷ୍ନୋଇଙ୍କୁ ମୁକ୍ତ କର । ଏଭଳି ଏକ ଧମକପୂର୍ଣ୍ଣ ଇମେଲ୍‌ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ)କୁ ଆସିଛି । ତେବେ କିଏ ଓ କେଉଁଠାରୁ ଏହି ଇମେଲ୍‌ ପଠାଇଛି ତାହା ଜଣା ପଡିନଥିବା ବେଳେ ଏଭଳି ଧମକପୂର୍ଣ୍ଣ ଇମେଲକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଏହି ଇମେଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହା ବ୍ୟତୀତ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମକୁ ମଧ୍ୟ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ମିଳିଛି। ୫୦୦ କୋଟି ଟଙ୍କା ଏବଂ ଜେଲରେ ଥିବା ଡନ୍‌ ଲରେନ୍ସ ବିଷ୍ନୋଇଙ୍କୁ ମୁକ୍ତ କରିବାକୁ ଉକ୍ତ ଇମେଲରେ ପ୍ରେରକ ଦାବି କରିଛନ୍ତି। ଏହି ଇମେଲରେ ଦର୍ଶାଯାଇଛି, “ଯଦି ସରକାର ଆମକୁ ୫୦୦ କୋଟି ଟଙ୍କା ଏବଂ ଲରେନ୍ସ ବିଷ୍ନୋଇଙ୍କୁ ନ ଦିଅନ୍ତି ତେବେ ଆମେ ନରେନ୍ଦ୍ର ମୋଦୀ ଏବଂ ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ଉଡ଼ାଇ ଦେବୁ । ହିନ୍ଦୁସ୍ତାନରେ ସବୁକିଛି ବିକ୍ରି ହୁଏ, ତେଣୁ ଆମେ ମଧ୍ୟ କିଛି କିଣିବୁ । ତମେ ଯେତେ ସୁରକ୍ଷିତ ରୁହ ନା କାହିଁକି, ତମେ ଆମଠାରୁ ବଞ୍ଚିବାରେ ସମର୍ଥ ହେବ ନାହିଁ । ଯଦି ତମେ ଆମ ସହ କଥା ହେବାକୁ ଚାହଁ, ତେବେ ଏହି ଇମେଲରେ କଥା ହୁଅ ।

ଅନ୍ୟପଟେ ଏନ୍‌ଆଇଏ ଏଭଳି ଇମେଲ୍‌ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱେରେ ଥିବା ଏବଂ ଅନ୍ୟ ରାଜ୍ୟର ପୋଲିସ ସହିତ ଏହି ସୂଚନା ଶେୟାର କରିଛି। ତେବେ ଏହି ଧମକପୂର୍ଣ୍ଣ ମେଲ୍‌ ମିଳିବା ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମର ସୁରକ୍ଷାକୁ ସମୀକ୍ଷା କରାଯାଇଛି। ଏହାବ୍ୟତିତ ଇମେଲ କେଉଁ ଆଇପି ଆଡ୍ରେସ୍‌ରୁ ଆସିଛି ସେନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଏନ୍‌ଆଇଏ ଧମକପୂର୍ଣ୍ଣ ଇମେଲ୍‌ ବିଷୟରେ ମୁମ୍ବାଇ ପୋଲିସକୁ ସତର୍କ କରାଯାଇଛି। ଗୁଜୁରାଟ ପୋଲିସ ବ୍ୟତୀତ ଏହି ସୂଚନା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ ଜଡିତ ସମସ୍ତ ଏଜେନ୍ସି ସହ ଶେୟାର କରାଯାଇଛି। ମେଲ ପାଇବା ପରେ ମୁମ୍ବାଇ ପୋଲିସ ମଧ୍ୟ ସୁରକ୍ଷା ବୃଦ୍ଧି କରିଥିବା ଜଣାପଡିଛି।

Get real time updates directly on you device, subscribe now.