କେବଳ ଅସମର୍ଥ ବରିଷ୍ଠ ନାଗରିକଙ୍କୁ ଭରଣପୋଷଣ ଦେବେ ପୁଅଝିଅ: ହାଇକୋର୍ଟ

କଟକ: କେବଳ ଜଣେ ‘ବରିଷ୍ଠ ନାଗରିକ’ ହେବା ଦ୍ୱାରା ଜଣେ ବ୍ୟକ୍ତି ସ୍ୱୟଂଚାଳିତ ଭାବରେ ପିଲାମାନଙ୍କଠାରୁ ଭରଣପୋଷଣ ପାଇବାର ଅଧିକାର ପାଇପାରିବେ ନାହିଁ। ଯଦି ସେ ନିଜ ରୋଜଗାର କିମ୍ବା ମାଲିକାନା ସମ୍ପତ୍ତିରୁ ନିଜକୁ ପୋଷଣ କରିବାକୁ ଅକ୍ଷମ ବୋଲି ଦର୍ଶାଯାଇ ନଥାଏ।

ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ଅନୁସାରେ ଏଥିପାଇଁ ନିର୍ଦ୍ଦେଶ ପାଇ ପାରିବେ ନାହିଁ। କିନ୍ତୁ ଯଦି ବରିଷ୍ଠ ନାଗରିକ ଜଣକ ରୋଜଗାର କରିବାକୁ ଅସମର୍ଥ ଥିବେ ଅଥବା ତାଙ୍କର ଆୟର କୌଣସି ପନ୍ଥା ନଥିବ ତେବେ ସେ ଭରଣପୋଷଣ ପାଇବା ପାଇଁ ହକଦାର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଜ ପାଳନ ପୋଷଣରେ ଅସମର୍ଥ ବରିଷ୍ଠ ନାଗରିକଙ୍କୁ ଯଦି ତାଙ୍କ ସନ୍ତାନ ବା ସଂପର୍କୀୟ ଉପେକ୍ଷା କରୁଥିବେ ତେବେ ଏଭଳି କ୍ଷେତ୍ରରେ ଭରଣପୋଷଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ।

ବିଚାରପତି ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। ଏଥିସ‌ହିତ ବାପାଙ୍କୁ ଭରଣପୋଷଣ ଦେବା ପାଇଁ ପୁଅକୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି। ଭରଣପୋଷଣ ପ୍ରସଂଗରେ ପୁନର୍ବାର ଶୁଣାଣି କରିବା ଲାଗି ଟ୍ରିବୁନାଲ୍‌କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପକ୍ଷ ରଖିବାକୁ ଉଭୟପକ୍ଷଙ୍କୁ ଟ୍ରିବୁନାଲ୍ ସୁଯୋଗ ଦେବେ।

ଏହି ଆବେଦନ ବିଚାରାଧୀନ ଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆବେଦନକାରୀ ପୁଅଙ୍କ ତରଫରୁ ଜମା କରାଯାଇଥିବା ରାଶି ଟ୍ରିବୁନାଲ୍‌ରେ ମାମଲାର ଫଇସଲା ପର୍ଯ୍ୟନ୍ତ ସ୍ଥାୟୀ ଜମା ଭାବେ ର‌ହିବ। ୧ ମାସ ଭିତରେ ଟ୍ରିବୁନାଲ୍ ମାମଲାର ଫଇସଲା କରିବେ ଟ୍ରିବୁନାଲ୍‌ଙ୍କ ନିକଟରେ ଉଭୟ ବାପପୁଅ ଫେବ୍ରୁଆରି ୨୪ରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ କହିବା ସହିତ ଶୁଣାଣିରେ ଅନ୍ତ ଘଟାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୬୯ ବର୍ଷୀୟ ବାପାଙ୍କୁ ପୁଅ ଘରୁ ବାହାର କରିଦେବା ସହିତ ପାଳନପୋଷଣ କରୁ ନଥିବା ଅଭିଯୋଗ ହୋଇଥିଲା । ପୀଡ଼ିତ ବାପା ୫ ହଜାର ଟଙ୍କା ମାସିକ ଭରଣପୋଷଣ ଦାବି କରି ରାୟଗଡ଼ା ଉପଜିଲ୍ଲାପାଳ ତଥା ଭରଣପୋଷଣ ଟ୍ରିବୁନାଲ୍‌ରେ ପୁଅ ବିରୋଧରେ ମାମଲା ରୁଜୁ ୧୬ରେ ଟ୍ରିବୁନାଲ୍ ମାମଲାର ଶୁଣାଣି କରି ପୁଅକୁ ଘର ଫାଟକ ଚାବି ବାପାଙ୍କୁ ପ୍ରଦାନ କରିବା ସହିତ ମାସିକ ୫ ହଜାର ଟଙ୍କା ଭରଣପୋଷଣ ବାବଦରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ରାୟ ବିରୋଧରେ ପୁଅ ରାୟଗଡ଼ା ଜିଲ୍ଲାପାଳ ତଥା ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ଜିଲ୍ଲାପାଳ ୨୦୨୪, ଜୁଲାଇ ୨୩ରେ ରାୟ ପ୍ରକାଶ କରି ଫେବ୍ରୁଆରି ୧୬ର ନିର୍ଦ୍ଦେଶକୁ କାଏମ ରଖିଥିଲେ। ଏପରି ରାୟକୁ ଚ୍ୟାଲେଞ୍ଜ କରି ପୁଅ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବାପା ନିଜକୁ ପାଳନପୋଷଣରେ ଅସମର୍ଥ ଥିବା ନେଇ କୌଣସି ତଥ୍ୟ ପ୍ରମାଣ ଟ୍ରିବୁନାଲ୍‌ଙ୍କ ନିକଟରେ ଦାଖଲ ହୋଇ ନଥିବା ବେଳେ ମାସିକ ଭରଣପୋଷଣ ରାଶି ପ୍ରଦାନ ନିର୍ଦ୍ଦେଶ ଦିଆଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଥିଲା ।