fbpx

ପୁଣି ଏକ ଲଜ୍ଜ୍ୟାଜନକ ଘଟଣା: ନାବାଳିକାଙ୍କୁ ଦୁଷ୍କର୍ମ କଲେ, ଅଭିଯୋଗ କରିବାରୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ, ୭ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ନୂଆ ନୂଆ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଏହି କ୍ରମରେ ଆଜି ନୟାଗଡ଼ରେ ଏକ ଲଜ୍ଜ।।ଜନକ ଘଟଣା ଦେଖିବାକୁ ମିଳିଛି । ରଣପୁରରେ ଜଣେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼ ମରାଯାଇଛି । ପୀଡ଼ିତାଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ରଣପୁର ଥାନା ଅଞ୍ଚଳରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ହିଞ୍ଜଳଗାଡ଼ିଆ ଗ୍ରାମର ଜଣେ ଯୁବକ ୩ ମାସ ପୂର୍ବେ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ଭୟରେ ଏ ବାବଦରେ ନାବାଳିକା କାହାକୁ ଜଣାଇ ନଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ମାଆ ଏ ବିଷୟରେ ଅବଗତ ହେବା ପରେ ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ଜଣାଇଥିଲେ । ମାତ୍ର ପଞ୍ଚାୟତ ନିର୍ବାଚନ ଚାଲିଥିବାରୁ କେହି ଏହି ଘଟଣାକୁ କର୍ଣ୍ଣପାତ କରିନଥିଲେ । ତେବେ ନିର୍ବାଚନ ସରିବା ପରେ ବାଧ୍ୟହୋଇ ନାବାଳିକାଙ୍କ ପରିବାର ଲୋକେ ଏନେଇ ଗତକାଲି ଥାନାରେ ଅଭିଯୋଗ କରିଥିଲେ ।

ଏହାପରେ ଉକ୍ତ ଗ୍ରାମର କିଛି ଯୁବକ ମିଶି ନାବାଳିକାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ୍ କରିଥିଲେ । ନାବାଳିକାଙ୍କୁ ଉକ୍ତ ଯୁବକମାନେ ଦାଣ୍ଡଦୁଆରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଏପରିକି ନାବାଳିକାଙ୍କ ମାଆଙ୍କୁ ମଧ୍ୟ ମାରଧାର କରାଯାଇଥିବା ଜଣାପଡ଼ିଛି । ଖବର ପାଇ ରଣପୁର ଥାନା ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଏଥିସହିତ ଅଭିଯୋଗକୁ ଆଧାରି ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.