fbpx

ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ୭ଟି ଫ୍ଲାଏଓଭର: ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ତେଣୁ ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରଥମେ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓ ତା’ପରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ତେବେ ବିରୋଧୀ ବିଜେପି ସଦସ୍ୟମାନେ ଗୃହକୁ ଚଳାଇ ଦେଲେନାହିଁ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ତେବେ ଏହା ପୂର୍ବରୁ ଏକ ଲିଖିତ ପ୍ରଶ୍ନର ଉତ୍ତର ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଧାନସଭାରେ ଦେଇଥିଲେ । ରାଜଧାନୀ ଭୁବନେଶ୍ୱରରେ ଆଉ ୭ଟି ଫ୍ଲାଏଓଭର ନିର୍ମାଣ କରାଯିବ । ରାଜଭବନ ଛକଠାରୁ ବାରଙ୍ଗ ମଧ୍ୟରେ ଏହି ସମସ୍ତ ଫ୍ଲାଏଓଭର ନିର୍ମାଣ କରାଯିବ । ନିକୋ ପାର୍କ ଛକ, ଜୟଦେବ ବିହାର ଛକ, ଜନତା ମଇଦାନ ଛକ, ଜାଭିୟର ଛକ, କଳିଙ୍ଗ ହସ୍ପିଟାଲ ଛକ, ନନ୍ଦନକାନନ ଛକ ଓ ପାୱାର ହାଉସ ଛକ ନିକଟରେ ଏହି ସମସ୍ତ ଫ୍ଲାଏଓଭର ନିର୍ମାଣ କରାଯିବ ।

ରାଜଭବନ ଛକଠାରୁ ନନ୍ଦନକାନନ ଦେଇ ବାରଙ୍ଗ ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ କରାଯିବା ସହିତ ଫ୍ଲାଏଓଭର ନିର୍ମାଣ କରାଯିବ । ଏହାସହିତ ଭବନେଶ୍ୱର, କଟକ, ବ୍ରହ୍ମପୁର, ବଲାଙ୍ଗିର, ବରଗଡ଼, ଭବାନିପାଟଣା ଓ ଭଦ୍ରକ ଆଦି ସହରମାନଙ୍କରେ ରିଙ୍ଗରୋଡ଼ ନିର୍ମାଣ ନେଇ ମଧ୍ୟ ପ୍ରସ୍ତାବ ରହିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ । ସୂଚନାଯୋଗ୍ୟ ଯେ, ଦିନକୁ ଦିନ ରାଜଧାନୀ ଉନ୍ନତି ପଥରେ ଅଗ୍ରସର ହେଉଥିବା ବେଳେ ଏଠାରେ ଜନସଂଖ୍ୟା ବଢ଼ିବା ସହିତ ଘରଦ୍ୱାର, ଶିକ୍ଷାନୁଷ୍ଠାନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଟ୍ରାଫିକ ସମସ୍ୟାକୁ ଦୂର କରିବା, ଯାତାୟାତ ସୁବିଧା, ଦୁର୍ଘଟଣାକୁ ଏଡ଼ାଇବା ଉଦ୍ଦେଶ୍ୟରେ ରାଜଧାନୀର ବିଭିନ୍ନ ସ୍ଥାନରେ ଫ୍ଲାଏଓଭର ନିର୍ମାଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.