fbpx

ବିଜେପିର ମୁକାବିଲା ପାଇଁ କଣ ଗଠନ ହେବ ତୃତୀୟ ସାମ୍ମୁଖ୍ୟ ? ବୈଠକ ପୂର୍ବରୁ ସଫେଇ ଦେଲେ ଶରଦ ପାଓ୍ଵାର

ମୁମ୍ବାଇ : ଆଗାମୀ ଲୋକସଭା ନିର୍ବାଚନରେ ବିଜେପିର ମୁକାବିଲା କରିବାକୁ  ତୃତୀୟ ମୋର୍ଚ୍ଚା ଗଠନ ପାଇଁ ଅଙ୍କକଷା ଆରମ୍ଭ ହୋଇ ଯାଇଛି। ଗୋଟିଏ ଦିନେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ସାକ୍ଷାତ ପରେ ମଙ୍ଗଳବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାଓ୍ଵାର ମଙ୍ଗଳବାର ବିରୋଧୀ ଦଳଗୁଡିକର ବୈଠକ ଡକାଇଛନ୍ତି। ଏହି ବୈଠକ ନେଇ ପୁଣି ଥରେ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। କିନ୍ତୁ ଶରଦ ପାଓ୍ଵାର ବୈଠକ ଡକାଇବା ଉପରେ ସଫେଇ ଦେଇଛନ୍ତି।

ସେ କହିଛନ୍ତି ଏହି ବୈଠକ ତୃତୀୟ ମୋର୍ଚ୍ଚା ପାଇଁ ଉଦ୍ଦିଷ୍ଟ ନୁହେଁ। ବୈଠକ ସହ ସଂପର୍କିତ ଲୋକଙ୍କ ଅନୁଯାୟୀ, ବୈଠକରେ ନା ସାଂପ୍ରତିକ ସ୍ଥିତି ଉପରେ ଆଲୋଚନା  ହେବ ନା ତୃତୀୟ ମୋର୍ଚ୍ଚା ନା ୨୦୨୪ ନିର୍ବାଚନ। ଏହା ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା ଗତକାଲି ସନ୍ଧ୍ୟାରେ ଟ୍ଵିଟ୍ କରିଥିଲେ ଯେ, ଏନସିପି ମୁଖ୍ୟ ଶରଦ ପାଓ୍ଵାର ୨୦୧୮ରେ ଗଠନ ହୋଇଥିବା ରାଷ୍ଟ୍ରମଞ୍ଚର ଅଧ୍ୟକ୍ଷତା କରିବେ।

ଏନସିପି ନେତା ନବାବ ମଲିକଙ୍କ ଅନୁଯାୟୀ, ଏହି  ବୈଠକରେ ରାଜନେତାଙ୍କ ବ୍ୟତୀତ ଅନେକ ଗଣମାନ୍ୟ ଲୋକଙ୍କୁ ଆମନ୍ତ୍ରିତ କରାଯାଇଛି। ବୈଠକ ପାଇଁ ବରିଷ୍ଠ ଓକିଲ କେଟିଏସ ତୁଲସୀ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସଓ୍ଵାଇ କ୍ୟୁରେସି, ପୂର୍ବତନ ରାଜଦୂତ କେସି ସିଂହ, ସଙ୍ଗୀତକାର ଜାଭେଦର ଅଖତାର, ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ, ବରିଷ୍ଠ ଓକିଲ କୋଲିନ ଗୋଞ୍ଜାଲାବିସ, ବରିଷ୍ଠ ସାମ୍ବାଦିକ କରଣ ଥାପର ଓ ଆଶୁତୋଷଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ଶରଦ ପାଓ୍ଵାରଙ୍କ ବାସଭବନରେ ଡକାଯାଇଥିବା ଏହି ବୈଠକ ରାଜନୈତିକ ଦୃଷ୍ଟିରୁ ଏଥିପାଇଁ ଗୁରୁତ୍ଵବହନ କରୁଛି କାରଣ ସୋମବାର ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଭେଟିଥିଲେ। ଗତ ୧୦ ଦିନ ଭିତରେ ପ୍ରଶାନ୍ତ ଓ ଶରଦ ପାଓ୍ଵାରଙ୍କ ମଧ୍ୟରେ ଏହା ଦ୍ଵିତୀୟ ସାକ୍ଷାତ। ଆଜିର ବୈଠକରେ ତୃଣମୂଳ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଓ ଆମ ଆଦମୀ ପାର୍ଟି ସହିତ ଅନେକ ପାର୍ଟିର ନେତାଙ୍କୁ ଆମନ୍ତ୍ରିତ କରାଯାଇଛି। କିନ୍ତୁ କଂଗ୍ରେସ ଏଥିରେ ସାମିଲ ହେବ ନାହିଁ।

Get real time updates directly on you device, subscribe now.