ପୱାର ମୁଖ୍ୟମନ୍ତ୍ରୀ ଥିଲେ ପରସ୍ଥିତି ଭିନ୍ନ ରହିଥାନ୍ତା: ଉଦ୍ଧବଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତ୍ରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମହା ବିକାଶ ଅଘାଡି ମେଣ୍ଟକୁ ନେଇ ବଢିଛି ସଙ୍କଟ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନେଇ ଏକ ନକରାତ୍ମକ ମନ୍ତବ୍ୟ ଦେଇଛି ସହଯୋଗୀ କଂଗ୍ରେସ । କଂଗ୍ରେସ ନେତ୍ରୀ ତଥା ମହା ବିକାଶ ଅଘାଡିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦାୟିତ୍ୱରେ ରହିଥିବା ଯଶୋମତୀ ଠାକୁର ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି । ଯଶୋମତୀ ଉଦ୍ଧବଙ୍କ ନେତୃତ୍ୱକୁ ଦୁର୍ବଳ ନେତୃତ୍ୱ ବୋଲି କହିବା ସହିତ ପୱାରଙ୍କୁ ବେଶ ପ୍ରଶଂସା କରିଥିଲେ । ଏହା ସହିତ ସେ କହିଥିଲେ ପୱାର ମୁଖ୍ୟମନ୍ତ୍ରୀ ଥିଲେ ପରସ୍ଥିତି ଭିନ୍ନ ରହିଥାନ୍ତା ।

ଯଶୋମତୀଙ୍କ ଏହି ବୟାନ ପରେ ଶିବସେନା ମଧ୍ୟ କଡା ପ୍ରତିକ୍ରିୟା ପ୍ରକାଶ କରିଛି । ଶିବସେନା ପକ୍ଷରୁ କୁହାଯାଇଛି ଯଦି ଏନସିପି ନେତା ଶରଦ ପୱାର କଂଗ୍ରେସକୁ ଏତେ ପସନ୍ଦ ତା ହେଲେ ସେମାନେ ତାଙ୍କୁ କଂଗ୍ରେସର ଅଧ୍ୟକ୍ଷ ବନାନ୍ତୁ । ଅମରାବତୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଯଶୋମତୀ ଏହି ମନ୍ତବ୍ୟ ଦେଇଥିଲେ । ଶରଦ ପୱାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଛବି ଅନ୍ୟ କିଛି ହୋଇଥାନ୍ତା ବୋଲି କହିଥିଲେ ଯଶୋମତୀ । ପୱାର ୪ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି । ମାତ୍ର ବର୍ତ୍ତମାନ ଆବଶ୍ୟକତା ସମୟରେ ମହାରାଷ୍ଟ୍ର ପୱାରଙ୍କ ମାର୍ଗଦର୍ଶନରୁ ବଞ୍ଚିତ ରହୁଛି ।

ଆମ ଉପରେ କେତେ ଆକ୍ରମଣ ହୋଇଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ମହାରାଷ୍ଟ୍ର ସର୍ବଦା ସ୍ଥିର ରହିଛି ଏବଂ ରହିବ ବୋଲି କହିଛନ୍ତି ଯଶୋମତୀ । ଏହି କାର୍ଯ୍ୟକ୍ରମରେ ଏନସିପି ସୁପ୍ରିମୋ ଶରଦ ପୱାର ମଧ୍ୟ ଉପସ୍ଥିତ ରହିଥିଲେ । ପୱାର ବୟସରେ ସବୁଠାରୁ ବରିଷ୍ଠ ଥିଲେ ମଧ୍ୟ ସେ କେବେ ଥକି ନଥାନ୍ତି । ଆମକୁ ତାଙ୍କ ଠାରୁ ବେଶ୍ କିଛି ଶିଖିବାକୁ ମିଳିଥାଏ । ଶନିବାର ଘର ଉପରେ ଆକ୍ରମଣ ହୋଇଥିଲେ ହେଁ ଆଜି ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ତାଙ୍କର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି । ଶିବସେନା ନେତା ନୀଲମ ଘୋରେ ଏହାକୁ ନେଇ କଂଗ୍ରେସକୁ କଟାକ୍ଷ କରିଛନ୍ତି । ନୀଲମ କହିଛନ୍ତି ମତେ ଲାଗୁଛି ପୱାରଙ୍କ ୟୁପିଏ ଅଧ୍ୟକ୍ଷ ଭାବରେ ଚୟନ କରାଯିବା ଉଚିତ୍ ।