ମୁମ୍ୱାଇ: ସୋମବାର ସେୟାର ବଜାରରେ ଜବରଦସ୍ତ ବୃଦ୍ଧି ପରେ ମଙ୍ଗଳବାର ସେନ୍ସେକ୍ସ ଓ ନିଫ୍ଟି ହ୍ରାସ ପାଇଛି। ସମାନ ସ୍ଥର ହେବା ପରେ ରେଡ୍ ମାର୍କରେ ବନ୍ଦ ହୋଇଗଲା ବଜାର। ଉଭୟ ସେନ୍ସେକ୍ସ ଓ ନିଫ୍ଟି ରେଡ୍ ମାର୍କରେ ବନ୍ଦ ହୋଇଛି। ସେନ୍ସେକ୍ସ ୧୦୫.୭୯ ପଏଣ୍ଟ ବା ୦.୧୩ ପ୍ରତିଶତ ହ୍ରାସ ପାଇ ୮୦,୦୦୪ରେ ବନ୍ଦ ହୋଇଛି। ଏନଏସଇ ନିଫ୍ଟି ୨୭.୪୦ ପଏଣ୍ଟ ବା ୦.୧୧ ପ୍ରତିଶତ ହ୍ରାସ ପାଇ ୨୪,୧୯୪.୫୦ରେ ବନ୍ଦ ହୋଇଛି। ଆଜି ଅଟୋ ସେୟାରରେ ବ୍ୟାପକ ବିକ୍ରି ହୋଇଥିବା ବେଳେ ଅଦାନିଙ୍କ ସେୟାର ହ୍ରାସ ପାଇଛି।
ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ବୃଦ୍ଧିକୁ ନେଇ ବଡ ବୟାନ ଦେଇଛନ୍ତି । ଟ୍ରମ୍ପ୍ ପୂର୍ବରୁ ଚୀନ୍ ଉପରେ ଶୁଳ୍କ ବଢ଼ାଇବା କଥା କହି ସାରିଥିବା ବେଳେ ଏବେ ତନାଦା ଓ ମୋକ୍ସିକୋ ଉପରେ ମଧ୍ୟ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପଙ୍କ ଏହି ଧମକ ସାରା ବିଶ୍ୱର ଷ୍ଟକ ବଜାରରେ ଦୁର୍ବଳ ଧାରା ସୃଷ୍ଟି କରିଛି । ଭାରତୀୟ ଷ୍ଟକ ବଜାର ଏଥିରୁ ଅଛୁଆଁ ରହିପାରିଲା ନାହିଁ। ୩୦ ସେୟାର ବିଶିଷ୍ଟ ସେନ୍ସେକ୍ସ ୧୦୫.୭୯ ପଏଣ୍ଟ ବା ୦.୧୩ ପ୍ରତିଶତ ହ୍ରାସ ପାଇ ୮୦,୦୦୪.୦୬ରେ ବନ୍ଦ ହୋଇଛି। ଏନଏସଇ ନିଫ୍ଟି ୨୭.୪୦ ପଏଣ୍ଟ ବା ୦.୧୧ ପ୍ରତିଶତ ହ୍ରାସ ପାଇ ୨୪,୧୯୪.୫୦ରେ ବନ୍ଦ ହୋଇଛି।
ନିଫ୍ଟି ବ୍ୟାଙ୍କ ୧୬ ପଏଣ୍ଟ ବା ୦.୦୩ ପ୍ରତିଶତ ହ୍ରାସ ପାଇ ୫୨,୧୯୧.୫୦ରେ ପହଞ୍ଚିଛି। ନିଫ୍ଟି ମିଡ୍କ୍ୟାପ୍ ୧୦୦ ଇଣ୍ଡେକ୍ସ ୧୩.୮୫ ପଏଣ୍ଟ ବା ୦.୦୨ ପ୍ରତିଶତ ବୃଦ୍ଧି ପାଇ ୫୫,୯୧୪.୪୦ରେ ବନ୍ଦ ହୋଇଛି। ନିଫ୍ଟି ସ୍ମଲକ୍ୟାପ୍ ୧୦୦ ସୂଚକାଙ୍କ ୧୪୯.୪୫ ପଏଣ୍ଟ ବା ୦.୮୩ ପ୍ରତିଶତ ବୃଦ୍ଧି ପାଇ ୧୮,୨୬୫.୩୦ରେ ବନ୍ଦ ହୋଇଛି। ଏଏସ୍ଆଇସି ସି ମେହେଟ୍ଟା ଇନଭେଷ୍ଟମେଣ୍ଟ ଇଣ୍ଟରମିଡିଏଟ୍ସ ଲିମିଟେଡ୍ ର ହୃଷିକେଶ ୟେଡ୍ଭେ କହିଛନ୍ତି, ନିଫ୍ଟି ଗ୍ୟାପ୍ ଅପ୍ ସହ ଆରମ୍ଭ ହୋଇଥିଲା, ପରେ ଦିନସାରା ସୀମିତ ରେଞ୍ଜରେ ସ୍ଥିରତା ଦେଖିବାକୁ ମିଳିଥିଲା ଏବଂ ପରେ ୨୪,୨୨୨ ସ୍ତରରେ ବନ୍ଦ ହୋଇଥିଲା। ଅସ୍ଥିରତା ସୂଚକାଙ୍କ ଇଣ୍ଡିଆ ଭିଆଇଏକ୍ସ ୪.୯୩ ପ୍ରତିଶତ ହ୍ରାସ ପାଇ ୧୫.୩୦ରେ ପହଞ୍ଚିଛି, ଯାହା ବଜାରର ଅସ୍ଥିରତା ହ୍ରାସର ସଙ୍କେତ ଦେଉଛି।
ସେନ୍ସେକ୍ସରେ ଅଲ୍ଟ୍ରାଟେକ୍ ସିମେଣ୍ଟ, ସନ୍ ଫାର୍ମା, ଏନ୍ଟିପିସି, ଟାଟା ମୋଟର୍ସ, ପାୱାର ଗ୍ରିଡ୍, ଏମ୍ ଆଣ୍ଡ୍ ଏମ୍, ଏଲ୍ ଆଣ୍ଡ୍ ଟି, ଆକ୍ସିସ୍ ବ୍ୟାଙ୍କ ଓ ମାରୁତି ପ୍ରମୁଖ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଏସିଆନ୍ ପେଣ୍ଟସ୍, ଇନଫୋସିସ୍, ଜେଏସ୍ ଡବ୍ଲ୍ୟୁ ଷ୍ଟିଲ୍, ଟିସିଏସ୍, ଟାଟା ଷ୍ଟିଲ୍ ଓ ଇଣ୍ଡସଇଣ୍ଡ ବ୍ୟାଙ୍କ୍ ସର୍ବାଧିକ ଲାଭବାନ ହୋଇଛନ୍ତି। ବିଏସଇରେ ୨,୨୮୮ ଟି ସେୟାର ସବୁଜ ରଙ୍ଗରେ କାରବାର କରୁଥିବା ବେଳେ ୧,୬୩୪ ଟି ସେୟାର ଲାଲ ରଙ୍ଗରେ କାରବାର କରୁଥିଲା । ସେହିପରି ୧୦୯ ଟି ସେୟାରରେ କୌଣସି ପରିବର୍ତ୍ତନ ହୋଇନାହିଁ।