fbpx

ତୁଣ୍ଡରେ ଶିବ, କାମରେ ହିଂସା… କାଉଡ଼ି ଯାତ୍ରାରେ ହତ୍ୟାର ଖେଳ: ଜଣେ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଶ୍ରାବଣ ମାସରେ ବାବା ଭୋଳାନାଥଙ୍କ ଜଳାଭିଷେକ କରିବା ପାଇଁ ଲାଗିଛି କାଉଡ଼ିଆଙ୍କ ଭିଡ଼ । ଭକ୍ତିରେ ଶିବ ନାମ ଗାଇ ଗାଇ ଆଗେଇ ଯାଉଛନ୍ତି ଶୈବଭକ୍ତ । କିନ୍ତୁ ଉତ୍ତରପ୍ରଦେଶ ଏବଂ ହରିୟାଣାରେ ଦେଖିବାକୁ ମିଳିଛି ଭକ୍ତିର ଓଲଟା ରୂପ । ତୁଣ୍ଡରେ ଶିବ ନାମ ଗାଉଥିବା କାଉଡ଼ିଆ ନିଜ ଭିତରେ ଥିବା ହିଂସ୍ରରୂପ ଦେଖାଇଛନ୍ତି । ନିଜ ନିଜ ଭିତରେ ଟେକା-ପଥର ମାଡ଼ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଦେଖାଯାଇଛି । ଏହି ଆକ୍ରମରରେ ଜଣେ କାଉଡ଼ିଆଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ଡାକ କାଉଡ଼ି ଯାତ୍ରାରେ ଉତ୍ତରପ୍ରଦେଶର ୫୦- ୬୦ କାଉଡ଼ିଆ ସୋନିପତର ଅଟେରନା କାଉଡ଼ିଆଙ୍କୁ ଉପରକୁ ଆକ୍ରମଣ କରିଛନ୍ତି । ଡାକ କାଉଡ଼ି ସମୟରେ ବାଇକ ଛଡ଼ାଇବା ଏବଂ କାଉଡ଼ିଆ ଆଗକୁ ଚାଲିଯିବା ମାମଲାକୁ ନେଇ ପରସ୍ପର ମଧ୍ୟରେ ଏହି ଆକ୍ରମଣ ହୋଇଛି । ଉଭୟ ଦଳ ପରସ୍ପର ଉପରକୁ ଟେକା ପଥର ମାଡ଼ କରିବା ସହ ଧାରୁଆ ଅସ୍ତ୍ରରେ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ବଂଶ ନାମକ ଜଣେ କାଉଡ଼ିଆ ପ୍ରାଣ ହରାଇଥିବା ବେଳେ ଅନେକ କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି । ବଂଶଙ୍କୁ ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ସୋନିପଥ ଅଞ୍ଚଳରେ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଖବର ପାଇ ବାଗପତ ପୋଲିସ ଅଧିକାରୀ ସୋନୀପଥ ସିଭିଲ ହସ୍ପିଟାଲରେ ପହଞ୍ଚିଛନ୍ତି । ମାମଲାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଆଶ୍ୱସନା ଦେଇଛି । ଏଭଳି ଏକ ଘଟଣାରେ କଡ଼ା ତଦନ୍ତ ଜାରି ରଖିଛି ଉତ୍ତରପ୍ରଦେଶ ପୋଲିସ । ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ, ଆକ୍ରମଣ ପଛରେ ବ୍ୟକ୍ତିଗତ କାରଣ ଏବଂ କାଉଡ଼ି ଯାତ୍ରା ସମୟରେ ଆଗକୁ ଚାଲିଯିବା ଯୋଗୁଁ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି ।

Get real time updates directly on you device, subscribe now.