fbpx

ଭାରତକୁ ବଡ଼ ଝଟକା: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ୍ ପଡ଼ି ପାରନ୍ତି ଗିଲ୍

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ବହୁପ୍ରତୀକ୍ଷିତ କ୍ରିକେଟ ମହାକୁମ୍ଭ । ଚଳିତ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରିଛି । ଆସନ୍ତା ୮ ତାରିଖରେ ଭାରତର ତା’ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ । ତେବେ ଅଷ୍ଟ୍ରେଲିଆ ପରି ଏକ ଶକ୍ତିଦଳ ବିପକ୍ଷରେ ଖେଳିବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା ।

ସୂଚନା ମୁତାବକ, ଟିମ୍ ଇଣ୍ଡିଆର ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ ଡେଙ୍ଗୁରେ ସଂକ୍ରମିତ ହୋଇଛନ୍ତି । ଯୁବ ଓପନର ଶୁବମନ ଗିଲ ଡେଙ୍ଗୁ ପଜିଟିଭ୍ ହୋଇଛନ୍ତି । ତେଣୁ ଆଗାମୀ ମ୍ୟାଚରେ ସେ ଖେଳିବାର ସମ୍ଭାବନା କମ୍ ରହିଛି । ଯଦି ଗିଲ କଙ୍ଗାରୁ ବିପକ୍ଷରେ ନ ଖେଳନ୍ତି ତେବେ ଏହା ଭାରତ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ସମସ୍ୟା । କାରଣ ବର୍ତ୍ତମାନ ସମୟରେ ଗିଲ ଫୁଲ ଫର୍ମରେ ରହିଥିବା ବେଳେ ସେ କ୍ରମାଗତ ଭାବେ ଶତକ ଅର୍ଜନ କରୁଛନ୍ତି । ତେଣୁ ତାଙ୍କର ଅନୁପସ୍ଥିତି ଦଳର ବ୍ୟାଟିଂ ଲାଇନକୁ ଦୁର୍ବଳ କରିପାରେ ।

ଯାଞ୍ଚ କରିବା ପରେ ଶୁବମନଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ତେଣୁ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଖେଳିବା ନେଇ ଆଶଙ୍କା ବଢ଼ିଯାଇଛି । ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଗତକାଲି ଏମଏ ଚିଦମ୍ବରମ ଷ୍ଟାଡିୟମରେ ଟିମ୍ ଇଣ୍ଡିଆର ଅଭ୍ୟାସ ସେସନରେ ଗିଲ୍ ସାମିଲ ହୋଇ ନଥିଲେ । ଏହାପରେ ତାଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଥିଲା । ଏବେ ତାଙ୍କର ଚିକିତ୍ସା ଜାରି ରହିଛି । ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ କ୍ରମାଗତ ଭାବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଆଜି ପୁଣି ତାଙ୍କର ଆଉ ଏକ ରାଉଣ୍ଡ ଟେଷ୍ଟ କରାଯିବ । ରିପୋର୍ଟ ଆସିବା ପରେ ସେ ପରବର୍ତ୍ତୀ ମ୍ୟାଚ ଖେଳିବେ କି ନା ତାହା ସ୍ଥିର କରାଯିବ । ଯଦି ଗିଲ ନ ଖେଳନ୍ତି ତବେ ଏଭଳି ସ୍ଥିତିରେ ଈଶାନ କିଶନ-ରୋହିତ ଶର୍ମା ଓପନିଂ କରିପାରନ୍ତି ।

Get real time updates directly on you device, subscribe now.