ଶୁବମନ ଗିଲ୍‌ ହେବେ କି ଅଧିନାୟକ ? ‘୪-୫ ଘଣ୍ଟା’ କଥା ହେଲେ ଗମ୍ଭୀର, ବିସିସିଆଇ ମୁଖ୍ୟ ଚୟନକର୍ତ୍ତାଙ୍କୁ ଭେଟିଲେ: ରିପୋର୍ଟ

ମୁମ୍ବାଇ: ବିଭିନ୍ନ ରିପୋର୍ଟ ଅନୁଯାୟୀ, ଶୁବମନ ଗିଲ୍‌ ଅବସରପ୍ରାପ୍ତ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ ଟେଷ୍ଟ ଦଳର ପରବର୍ତୀ ଅଧିନାୟକ ହେବା ପାଇଁ ମୁଖ୍ୟ ଦାବିଦାର। ରୋହିତ ଶର୍ମା ମେ ୭ ତାରିଖରେ ଅବସର ଘୋଷଣା କରିଥିଲେ। ତାଙ୍କ ପରେ ଭାରତର ପରବର୍ତୀ ଟେଷ୍ଟ ଅଧିନାୟକ କିଏ ହେବେ ସେ ନେଇ ତୀବ୍ର ଜଳ୍ପନା ଚାଲିଛି। ଅଧିକାଂଶ ରିପୋର୍ଟରେ ଦାବି କରାଯାଇଛି ଯେ ଶୁବମାନ ଗିଲ୍‌ ଜସପ୍ରୀତ ବୁମରା, ଋଷଭ ପନ୍ତ ଏବଂ କେଏଲ ରାହୁଲଙ୍କୁ ପଛରେ ରଖି ରୋହିତ ଶର୍ମାଙ୍କ ସ୍ଥାନ ନେବେ। ନୂଆ ଅଧିନାୟକ ଜୁନ ୨୦ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ଗସ୍ତରୁ ଦାୟିତ୍ୱ ଗ୍ରହଣ କରିବେ।

ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଗିଲ୍‌ ନିକଟରେ ଦିଲ୍ଲୀରେ ଭାରତୀୟ କୋଚ୍‌ ଗୌତମ ଗମ୍ଭୀରଙ୍କ ବାସଭବନରେ ତାଙ୍କୁ ଭେଟି ଚାରିରୁ ପାଞ୍ଚ ଘଣ୍ଟା କଥା ହେଇଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଆଇପିଏଲ ୨୦୨୫ର ଏକ ମ୍ୟାଚ ପରେ ମଇ ୬ରେ ଗିଲ୍‌ଙ୍କୁ ଭେଟିଥିଲେ।

ବିସିସିଆଇ ଶୁବମାନ ଗିଲ୍‌ଙ୍କୁ ଦୀର୍ଘମିଆଦୀ ଅଧିନାୟକତ୍ୱ ବିକଳ୍ପ ଭାବେ ଦେଖୁଛି। ରିପୋର୍ଟରେ ବିସିସିଆଇ ସୂତ୍ରକୁ ଉଦ୍ଧୃତ କରି କୁହାଯାଇଛି, “ସେ ଜିଟିକୁ ନେତୃତ୍ୱ ଦେଇଥିବା ଢଙ୍ଗରେ ପ୍ରଭାବଶାଳୀ ନେତୃତ୍ୱ ଗୁଣ ଦେଖାଇଛନ୍ତି, ଯେଉଁମାନେ ଏହି ଋତୁରେ ବର୍ତ୍ତମାନ ଶୀର୍ଷରେ ଅଛନ୍ତି।” ଇଂଲଣ୍ଡ ଗସ୍ତରୁ ଆରମ୍ଭ ହେଉଥିବା ନୂଆ ଡବ୍ଲୁଟିସି ଚକ୍ର ସହିତ, ବିସିସିଆଇ ତାଙ୍କ ଚାରିପାଖରେ ଏକ ଦଳ ଗଢ଼ିବାକୁ ଆଗ୍ରହୀ।

ଶୁବମନ ଗିଲ୍‌ ଇଂଲଣ୍ଡ ଗସ୍ତରେ ରୋହିତ ଶର୍ମାଙ୍କ ପରେ ଭାରତର ଟେଷ୍ଟ ଅଧିନାୟକ ହେବା ପାଇଁ ମୁଖ୍ୟ ଦାବିଦାର ହୋଇପାରନ୍ତି, କିନ୍ତୁ ପୂର୍ବତନ ସ୍ପିନର ଆର ଅଶ୍ୱିନ କହିଛନ୍ତି ଯେ ଜସପ୍ରୀତ ବୁମରା ଏବଂ ରବିନ୍ଦ୍ର ଜାଡେଜା ଭଳି ଅଭିଜ୍ଞ ନାମଗୁଡ଼ିକୁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ବିଚାର କରାଯିବା ଉଚିତ।

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ମଇ ମାସର ଶେଷ ସପ୍ତାହରେ ଚୟନ ହୋଇପାରେ, ଏବଂ ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ସମ୍ଭାବ୍ୟ ନୂଆ ଅଧିନାୟକଙ୍କୁ ନେଇ ଆଲୋଚନା ଚାଲିଛି।

ଆର ଅଶ୍ୱିନ ତାଙ୍କ ୟୁଟୁବ ଚ୍ୟାନେଲରେ ପୂର୍ବତନ ତାମିଲନାଡୁ ଓପନର ବିଦ୍ୟୁତ ଶିବରାମକୃଷ୍ଣନଙ୍କ ସହ ଆଲୋଚନା ସମୟରେ କହିଛନ୍ତି, “ପ୍ରଥମେ, ସମସ୍ତେ କହୁଛନ୍ତି ଯେ ଗିଲ୍‌ ଅଧିନାୟକ। ସମସ୍ତେ ସେହି ଦିଗରେ ଯାଉଛନ୍ତି। କିନ୍ତୁ ଜସପ୍ରୀତ ବୁମରାଙ୍କ ନାମରେ ଏକ ଜୋରଦାର ବିକଳ୍ପ ଅଛି, ଏବଂ ଆମେ ରବିନ୍ଦ୍ର ଜାଡେଜାଙ୍କୁ କାହିଁକି ଭୁଲୁଛୁ।”

“ଯଦି ଆପଣ ଜଣେ ନୂଆ ବ୍ୟକ୍ତିଙ୍କୁ ଅଧିନାୟକ ଭାବେ ନେବାକୁ ଇଚ୍ଛୁକ, ମୁଁ କହିବି କାହିଁକି ତାଙ୍କୁ ଦୁଇ ବର୍ଷ ପାଇଁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ଅଧୀନରେ ସହକାରୀ ଭାବେ ନିଯୁକ୍ତ କରି ପୂର୍ଣ୍ଣକାଳୀନ ଦାୟିତ୍ୱ ଦେବା ପୂର୍ବରୁ ତାଙ୍କୁ ପ୍ରସ୍ତୁତ ନକରିବେ।” ବିରାଟ କୋହଲୀ ଏବଂ ରୋହିତଙ୍କ ଟେଷ୍ଟରୁ ଅବସର ପରେ, ଜାଡେଜା ଭାରତୀୟ ଦଳରେ ସବୁଠାରୁ ଅଭିଜ୍ଞ ଖେଳାଳି, ଯିଏ ୮୦ଟି ଟେଷ୍ଟରୁ ୩୩୭୦ ରନ୍‌ ଏବଂ ୩୨୩ ଓ୍ଵିକେଟ ହାସଲ କରିଛନ୍ତି।